ନୂଆଦିଲ୍ଲୀ, ୨୮ା୪ (ପି.ଟି.)- ଭାରତର ୟର୍କର ସେନ୍ସେସନ ଟି. ନଟରାଜନଙ୍କ ଆଣ୍ଠୁରେ ମଙ୍ଗଳବାର ସଫଳ ଅସ୍ତ୍ରୋପଚାର ହୋଇଛି। ଚଳିତବର୍ଷ ପ୍ରଥମ ଭାଗରେ ଅଷ୍ଟ୍ରେଲିଆ ଟୁର୍ ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଚଳିତ ଆଇପିଏଲ-୧୪ ସିଜନରେ ନଟରାଜନ ତାଙ୍କ ଫ୍ରାଞ୍ଚାଇଜ୍ ସନରାଇଜର୍ସ ହାଇଦ୍ରାବାଦ ତରଫରୁ ମାତ୍ର ୨ଟି ଗେମ୍ ଖେଳି ସାରିବା ପରେ ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ଅସ୍ତ୍ରୋପଚାର ଅପରିହାର୍ଯ୍ୟ ହୋଇପଡ଼ିଥିଲା। ୩୦ବର୍ଷୀୟ ଏହି ପେସ୍ ବୋଲର ତାଙ୍କର ଦେଖାଚାହାଁ କରୁଥିବା ବିସିସିଆଇ ଓ ମେଡିକାଲ ଟିମ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଅଷ୍ଟ୍ରେଲିଆ ଟୁର୍ରୁ ଫେରିବା ପରେ ନଟରାଜନ ରିହାବିଲିଟେଶନ ପାଇଁ ନ୍ୟାଶନାଲ କ୍ରିକେଟ ଏକାଡେମୀ ଯାଇଥିଲେ। ମ୍ୟାଚ ପାଇଁ ଶତ ପ୍ରତିଶତ ପ୍ରସ୍ତୁତ ନ ଥିଲେ ମଧ୍ୟ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ପାଇଁ ତାଙ୍କୁ ଫିଟ୍ ଘୋଷଣା କରାଯାଇଥିବା କୁହାଯାଉଛି। ଗତ ଆଇପିଏଲ୍ ବେଳେ ଡେଥ୍ ଓଭରରେ ଚମତ୍କାର ୟର୍କର ବୋଲିଂ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ପରେ ସେ ଅଷ୍ଟ୍ରେଲିଆ ବିପକ୍ଷ ସମସ୍ତ ୩ଟି ଫର୍ମାଟରେ ଖେଳିବା ପାଇଁ ମନୋନୀତ ହୋଇଥିଲେ। ଅଷ୍ଟ୍ରେଲିଆରୁ ଭାରତ ଫେରିବା ପରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ବିଷୟ ସେ ସାଧାରଣରେ ପ୍ରକାଶ କରି ନ ଥିଲେ।