ହାର୍ଦ୍ଦିକଙ୍କ ପୂର୍ବରୁ ଏହି ଅଭିନେତାଙ୍କୁ ଡେଟ୍‌ କରୁଥିଲେ ନତାଶା, ଚମକାଇବ ବ୍ରେକ୍‌ଅପ୍‌ର କାରଣ…

ନୂଆଦିଲ୍ଲୀ,୧୪।୨: ଦ୍ୱିତୀୟ ଥର ଲାଗି ବିବାହ କରିବାକୁ ଯାଉଛନ୍ତି ଭାରତୀୟ ଟିମ୍‌ର ଷ୍ଟାର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ମଡେଲ ନତାଶା ଷ୍ଟେନ୍‌କୋଭିକ୍‌ଙ୍କ ସହ ମଙ୍ଗଳବାର(ଫେବୃୟାରୀ ୧୪)ରେ ସେ ବିବାହ କରିବେ। ଦୁହେଁ କିଛି ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ୨୦୨୦ରେ କୋର୍ଟ ମ୍ୟାରେଜ କରିଥିଲେ। ବିବାହଟି ବେଶ ସାଧାସିଧା ଥିବା ବେଳେ ଏବେ ସେମାନେ ଧୁମ୍‌ଧାମ୍‌ରେ ସମସ୍ତ ରୀତିନୀତିକୁ ଅନୁଭବ କରିବାକୁ ଚାହୁଁଛନ୍ତି। ତେବେ ବହୁତ କମ୍‌ ଲୋକ ଜାଣନ୍ତି ପାଣ୍ଡ୍ୟାଙ୍କ ଜୀବନରେ ଆସିବା ପୂର୍ବରୁ ନତାଶା ଆଉ ଜଣେ ସେଲିବ୍ରିଟିଙ୍କ ପ୍ରେମରେ ପଡ଼ିଥିଲେ।

‘ନଚ୍‌ ବଲିୟେ’ ଶୋ’ ସମୟରେ ଟେଲିଭିଜନ ଅଭିନେତା ଅଲି ଗୋନିଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ସେ। ଏପରିକି ଶୋ’ରେ ଅଲି ନତାଶାଙ୍କ ସାଥୀ ଥିଲେ। ମାତ୍ର ଅଧିକ ସମୟ ଧରି ସେମାନେ ସମ୍ପର୍କରେ ରହି ନ ଥିଲେ। ଶୀଘ୍ର ଦୁହିଁଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଉଭୟଙ୍କ ସଂସ୍କୃତି ଭିନ୍ନ ଥିଲା। ଏପରିକି ଅଲି ଭାରତୀୟ ଯୁବତୀଙ୍କୁ ଡେଟ୍‌ କରିବାକୁ ଚାହୁଁଥିଲେ। ଏଥିପାଇଁ ଦୁହେଁ ବାଟ ଅଲଗା କରିଥିଲେ।

ଅଲିଙ୍କ ପରେ ନତାଶାଙ୍କ ଜୀବନକୁ ଆସିଥିଲେ ହାର୍ଦ୍ଦିକ। ପ୍ରଥମେ ଦୁହେଁ ଦୁହିଁଙ୍କୁ ଏକ ନାଇଟ୍‌ କ୍ଲବରେ ଭେଟିଥିଲେ। ଉଭୟଙ୍କ ଭେଟ ଶୀଘ୍ର ପ୍ରେମରେ ପରିବର୍ତ୍ତିତ ହୋଇଯାଇଥିଲା। ସେତେବେଳେ ହାର୍ଦ୍ଦିକ ଜଣେ କ୍ରିକେଟର ବୋଲି ନତାଶା ଜାଣି ନ ଥିଲେ। ପରେ ଦୁହେଁ କୋର୍ଟରେ ବିବାହ କରିଥିଲେ। ୨୦୨୦ରେ ନତାଶା ଏକ ପୁତ୍ର ସନ୍ତାନର ଜନନୀ ହୋଇଥିଲେ। ତାଙ୍କ ନାମ ସେ ଅଗସ୍ତ୍ୟ ରଖିଛନ୍ତି।

ହାର୍ଦ୍ଦିକଙ୍କ ବିବାହକୁ ନେଇ ପରିବାର ଏବଂ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି।