Categories: ଖେଳ

ଟିମ୍‌ ଇଣ୍ଡିଆର ଖେଳୁଆଡ଼ ମନୋଭାବକୁ ପ୍ରଶଂସା କଲେ ନାଥନ ଲିଓନ

ନୂଆଦିଲ୍ଲୀ,୨୮।୧: ଟିମ୍‌ ଇଣ୍ଡିଆଠାରୁ ୨-୧ ବ୍ୟବଧାନରେ ବର୍ଡର ଗାଭାସ୍କର ଟ୍ରଫି ହାରିବାର କିଛି ସପ୍ତାହ ପରେ ଭେଟେରାନ ଅଷ୍ଟ୍ରେଲିଆନ ସ୍ପିନର ନାଥନ ଲିଓନ  ଭାରତୀୟ ଦଳର ଖେଳୁଆଡ଼ ମନୋଭାବକୁ ପ୍ରଶଂସା କରିଛନ୍ତି। ବ୍ରିସବେନଠାରେ କ୍ୟାରିୟରର ୧୦୦ ତମ ଟେଷ୍ଟ ଖେଳିଥିଲେ ଅଫ୍‌ ସ୍ପିନର ଲିଓନ। ଆଉ ଏହି ମ୍ୟାଚ୍‌ରେ କ୍ୟାରିୟରର ୪୦୦ ଉଇକେଟ ପୂରଣ କରିବାକୁ ଆଶା ରଖିଥିଲେ। ହେଲେ ଏହି ମାଇଲଷ୍ଟୋନଠାରୁ ସେ ମାତ୍ର ଗୋଟିଏ ଉଇକେଟ ଦୂରରେ ରହିଯାଇଛନ୍ତି।

୩୩ ବର୍ଷୀୟ ସ୍ପିନର ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଭାରତୀୟ ଦଳର ଖେଳାଳିଙ୍କ ହସ୍ତାକ୍ଷର ଥିବା ଟିମ୍‌ ଇଣ୍ଡିଆର ଜର୍ସି ରହିଛି। କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍‌ ପରେ ଭାରତୀୟ ଖେଳାଳିମାନେ ଏହି ସ୍ବତନ୍ତ୍ର ଉପହାର ଦେଇଥିଲେ। ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ହସ୍ତାକ୍ଷର ଥିବା ଜର୍ସି ପ୍ରଦାନ ଲାଗି ଧନ୍ୟବାଦ। ସିରିଜ୍‌ ଜିତିଥିବା ଅଜିଙ୍କ୍ୟ ରାହାନେଙ୍କ ନେତୃତ୍ୱାଧୀନ ଦଳକୁ ଶୁଭେଚ୍ଛା। ଆଉ ତୁମ ଖେଳୁଆଡ଼ ମନୋଭାବ ଦେଖି ମୁଁ କୃତଜ୍ଞ ବୋଲି କ୍ୟାପଶନରେ ଲେଖିଛନ୍ତି।

ଉଲ୍ଲେଖଥାଉ କି, ଅଷ୍ଟ୍ରେଲିଆର ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ଶେନ ଓ୍ବର୍ନ (୭୦୮) ଓ ଗ୍ଲେନ ମ୍ୟାକଗ୍ରା (୫୬୩)ଙ୍କ ପଛକୁ ୩ୟ ସ୍ଥାନରେ ରହିଛନ୍ତି ଲିଓନ।

Share