Categories: ଜାତୀୟ

ମମତା ବାନାର୍ଜୀଙ୍କୁ ଝଟ୍‌କା

ମୁମ୍ବାଇ, ୨୯।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟ ସଙ୍ଗୀତକୁ ଅବମାନନା କରିବା ମାମଲା ରଦ୍ଦ କରିବା ପାଇଁ ବମ୍ବେ କୋର୍ଟରେ କରିଥିବା ଆବେଦନକୁ ବୁଧବାର ବିଚାରପତି ଅମିତ ବୋରକାର ଖାରଜ କରିଛନ୍ତି। ମାମଲାର ଯାଞ୍ଚ ମାଜିଷ୍ଟ୍ରେଟ୍‌ କୋର୍ଟରେ କରାଯିବ ବୋଲି ଜଣିକିଆ ବିଚାରପତି ଅମିତ ବୋରକାରଙ୍କ ଗଠିତ ଖଣ୍ଡପୀଠ ଶୁଣାଣି ବେଳେ କହିଥିଲେ। ମାମଲା ଉପରେ ସେସନ୍ସ କୋର୍ଟ କରିଥିବା ଶୁଣାଣି ଅବୈଧ ହୋଇଥିଲେ ମଧ୍ୟ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ବିଚାରପତି ଶୁଣାଣିରେ କହିଥିଲେ। ମୁମ୍ବାଇ ସେସନ୍ସ କୋର୍ଟ ଜାନୁୟାରୀରେ ମାମଲାର ଶୁଣାଣି କରି ମମତାଙ୍କ ବିରୋଧରେ ଜାରି ସମନକୁ ରଦ୍ଦ କରିବା ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେସନ୍ସକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ପୂରା ମାମଲାକୁ ରଦ୍ଦ କରିବା ପାଇଁ ମମତା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୨୨ ମାର୍ଚ୍ଚରେ ମୁମ୍ବାଇ କଫ୍‌ ପାରାଡେସ୍ଥିତ ଯଶୋବନ୍ତରାଓ ଚାଭନ ଅଡିଟୋରିୟମ୍‌ର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମମତା ବସି କରି ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏ ନେଇ ସାମଜିକକର୍ମୀ ବିବେକାନନ୍ଦ ଗୁପ୍ତା ଅଭିଯୋଗ କରିବା ପରେ ମୁମ୍ବାଇର ଏକ ମାଜିଷ୍ଟ୍ରେଟ୍‌ କୋର୍ଟ ମମତାଙ୍କୁ ସମନ ଜାରି କରିଥିଲା।

Share