Categories: ଜାତୀୟ

ମଦ୍ରାସାରେ ଜାତୀୟ ସଙ୍ଗୀତ ବାଧ୍ୟତାମୂଳକ

ଲକ୍ଷ୍ନୌ,୧୨ ।୫: ଉତ୍ତର ପ୍ରଦେଶର ସମସ୍ତ ମଦ୍ରାସାରେ ଗୁରୁବାରଠାରୁ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କରାଯାଇଛି । ଉତ୍ତର ପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡର ରେଜିଷ୍ଟ୍ରାର ଏସ ଏନ ପାଣ୍ଡେ ସମସ୍ତ ଜିଲା ଅଳ୍ପସଂଖ୍ୟକ କଲ୍ୟାଣ ଅଧିକାରୀଙ୍କୁ ଏ ସମ୍ପର୍କରରେ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିରେ ଶ୍ରୀ ପାଣ୍ଡେ କହିଛନ୍ତି, ଗତ ୨୪ ମାର୍ଚ୍ଚରେ ବୋର୍ଡ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ନୂଆ ଶିକ୍ଷାବର୍ଷ ଆରମ୍ଭରେ ମଦ୍ରାସାରେ ପ୍ରାର୍ଥନା ସମୟରେ ରାଷ୍ଟ୍ରୀୟ ସଙ୍ଗୀତକୁ ଅନିର୍ବାଯ୍ୟ କରାଯାଇଛି । ପାଣ୍ଡେ କହିଛନ୍ତି ରମଜାନ ମାସ ଲାଗି ମଦ୍ରାସା ୩୦ ମାର୍ଚ୍ଚରୁ ୧୧ ମେ’ ପର୍ଯ୍ୟନ୍ତ ବନ୍ଦଥିଲା । ୧୨ ମେ’ରୁ ନିୟମିତ ଭାବେ କ୍ଲାସ ଆରମ୍ଭ ହେଲା ତେଣୁ ଗୁରୁବାରଠାରୁ ଏହା ଲାଗୁ କରାଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ମଦ୍ରାସାରେ ଶିକ୍ଷାବର୍ଷ ଆରମ୍ଭରୁ ଏହା ଲାଗୁ କରାଯିବ । ସମସ୍ତ ମଦ୍ରାସାରେ ସମବେତ ଭାବେ ଶିକ୍ଷକ ଓ ଛାତ୍ରମାନେ ଜାତୀୟ ସଙ୍ଗୀତ ଗାନ କରିବେ । ଜିଲା ଅଳ୍ପ ସଂଖ୍ୟକ କଲ୍ୟାଣ ଅଧିକାରୀ ଏହି ନିର୍ଦ୍ଦେଶର ପାଳନ ହେଉଛି କି ନା ତା’ ଉପରେ ଧ୍ୟାନ ଦେବେ ।

Share