ଭୁବନେଶ୍ୱର,୯ା୬(ଶର୍ମିଷ୍ଠା ପାଣିଗ୍ରାହୀ)ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ଅଭିଲେଖାଗାର ସହିତ ଜାତୀୟ ଅଭିଲେଖାଗାରର ଏକ ଆଞ୍ଚଳିକ ଶାଖା ରହିଛି। ମାତ୍ର ଏହି ଜାତୀୟ ଅଭିଲେଖାଗାର ସମ୍ପର୍କରେ ବହୁ ଲୋକ ଜାଣିନାହାନ୍ତି। ଏପରିକି ଦେଶରେ ମଧ୍ୟ ଅଭିଲେଖାଗାରଗୁଡ଼ିକର ବିଭିନ୍ନ ବିକାଶମୂଳକ କାମ ଅନ୍ୟ କ୍ଷେତ୍ର ତୁଳନାରେ ଟିକେ ପଛୁଆ ରହିଥିବା ଲକ୍ଷ୍ୟ କରାଯାଉଛି। ସଂରକ୍ଷଣ, ଅନୁସନ୍ଧାନ, ଗବେଷଣା, ଡିଜିଟାଲାଇଜେଶନ କ୍ଷେତ୍ରରେ କାମ ସବୁ ଏବେ ଆରମ୍ଭ ହେଉଛି। ସାରା ଦେଶରେ ଜାତୀୟ ଅଭିଲେଖାଗାରର ୪ଟି ଶାଖା ରହିଛି। ପୂର୍ବାଞ୍ଚଳ କ୍ଷେତ୍ରରେ ୧୨ଟି ରାଜ୍ୟକୁ ନେଇ ଭୁବନେଶ୍ୱର ଶାଖା କାର୍ଯ୍ୟ କରୁଛି, ଯେଉଁଠି ୧୧ତମ ଶତାବ୍ଦୀଠାରୁ ଆରମ୍ଭ କରି ବିଭିନ୍ନ ତଥ୍ୟ ରହିଛି। ଅନେକ ତାଳପତ୍ର ପୋଥିକୁ ସଂରକ୍ଷିତ କରି ସେଠାରେ ରଖାଯାଇଛି। କେବଳ ଓଡ଼ିଶା ନୁହେଁ, ଅନ୍ୟ ରାଜ୍ୟ ସମ୍ପର୍କିତ ତଥ୍ୟ ମଧ୍ୟ ଏହି ଅଭିଲେଖାଗାର ପ୍ରଦାନ କରେ। ଗତ ଏପ୍ରିଲରୁ ଏହି ଅଭିଲେଖାଗାରରେ ଡିଜିଟାଇଜେନ। ୨ବର୍ଷ ମଧ୍ୟରେ ଏହା ସରିବ। ୧ଲକ୍ଷ ପବ୍ଲିକ ରେକର୍ଡ, ୨୩୦୦ ବେସରକାରୀ କାଗଜପତ୍ର, ୨୦୦ କାଗଜ ପାଣ୍ଡୁଲିପି, ୪୫୦ ତାଳପତ୍ର ପୋଥିର ଡିଜିଟାଇଜେଶନ କାମ ଆଗେଇ ଚାଲିଛି। ପେଟେଣ୍ଡ ଡିଜାଇନ୍ସ, ପ୍ରତ୍ନତତ୍ତ୍ୱ ବିଭାଗ, ଡାକ ବିଭାଗ, ଖଣି ବିଭାଗ, ପାଣିପାଗ ବିଭାଗର ଦସ୍ତାବିଜ ସହ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ ଓ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ ଯଥା ରମା ଦେବୀ, ମାଳତୀ ଚୌଧୁରୀ, ମନମୋହନ ଚୌଧୁରୀ, ସୁରେନ୍ଦ୍ର ଦ୍ୱିବେଦୀ, ଅନ୍ନପୂର୍ଣ୍ଣା ମହାରଣା, ସୁରତ ଅଲି, ମାୟାଧର ମାନସିଂହ ପ୍ରମୁଖଙ୍କ ଦସ୍ତାବିଜ ସଂରକ୍ଷିତ ହୋଇରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏସବୁ ଦସ୍ତାବିଜ୍ର ଡିଜିଟାଇଜେଶନ ପ୍ରକ୍ରିୟା ଚାଲିଥିବା ସୂଚନା ଦିଆଯାଇଛି।
ଏ ନେଇ ଅଭିଲେଖାଗାରର ସହକାରୀ ନିର୍ଦ୍ଦେଶକ ଡ. ସତ୍ୟନାରାୟଣ ମିଶ୍ର କହିଛନ୍ତି, ଅଭିଲେଖାଗାର ମୁଖ୍ୟ କାର୍ଯ୍ୟ ନେଇ ଅନେକେ ଏତେଟା ସଚେତନ ନୁହନ୍ତି। ଅଭିଲେଖାଗାରକୁ ନେଇ କିଭଳି ସଚେତନତା ସୃଷ୍ଟି ସହ ଅଧିକରୁ ଅଧିକ ଆକ୍ଟିଭିଟି ହେବ ସେଥିପାଇଁ ଆମେ ଏବେ ଧ୍ୟାନ ଦେଉଛୁ। ସେଥିପାଇଁ ୨ମାସ ହେବ ଏକ ମାସିକ ଆଲୋଚନାଚକ୍ରର ଆୟୋଜନ କରାଯାଉଛି। ଓଡ଼ିଶା ତଥା ବାହାରର ସ୍କଲାରମାନେ ଆସି ଏଠାରେ ଗବେଷଣା କରୁଛନ୍ତି। ଐତିହାସିକ ତଥ୍ୟ, ଦସ୍ତାବିଜ ସଂରକ୍ଷଣ ସହ ଡିଜିଟାଇଜେଶନ ଦିଗରେ ଏବେ ଅଧିକ ଫୋକସ୍ ଦେଉଛୁ। ଖୁବ୍ଶୀଘ୍ର ଘରେ କିମ୍ବା ବାହାରେ ରହୁଥିବା ସ୍କଲାରମାନେ ସହଜରେ ତଥ୍ୟ ପାଇପାରିବେ ବୋଲି ସେ କହିଛନ୍ତି।