ଆରମ୍ଭ ହେଲା ନ୍ୟାଶନାଲ ଆର୍ଟ, କ୍ରାଫ୍ଟ ମେଳା

ସମ୍ବଲପୁର,୨୪।୪(ବ୍ୟୁରୋ): ନ୍ୟାଶନାଲ ଆର୍ଟ ଏବଂ କ୍ରାଫ୍ଟ କଟନ୍‌ ସିଲ୍କ ଏକ୍ସପୋ-୨୦୨୨ (ପ୍ରଦର୍ଶନୀ ଓ ମେଳା) ସମ୍ବଲପୁର ଅଇଁଠାପାଲିସ୍ଥିତ ପିଏଚ୍‌ଡି ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି। ମେଳାରେ ୧ଲକ୍ଷରୁ ଅଧିକ ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରି ସକାଶେ ଉପଲବ୍ଧ ରହିଛି।

ଜାତୀୟ କଳା ଓ ହସ୍ତଶିଳ୍ପ ରେସମୀ ସୂତାର ସାମଗ୍ରୀ ଗ୍ରାହକଙ୍କୁ ଆକର୍ଷିତ କରୁଛି। ସୂଚନା ମୁତାବକ, ଚଳିତ ବର୍ଷ ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ, ଜମ୍ମୁ ଓ କଶ୍ମୀର, ହରିୟାଣା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ନାଗାଲାଣ୍ଡ, କେରଳ, ଆସାମ, ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡ ଅଞ୍ଚଳରୁ କାରିଗରମାନେ ବିଭିନ୍ନ ପ୍ରକାର ଉତ୍ପାଦ ନେଇ ଆସିଛନ୍ତି। ପ୍ରଥମ ଦିନରୁ ହିଁ ଗ୍ରାହକଙ୍କ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ସାମଗ୍ରୀ ମଧ୍ୟରେ ହସ୍ତତନ୍ତ ଶାଢ଼ୀ, ସାଲ, କଶ୍ମିରୀ ଶାଢ଼ୀ, ଜୟପୁର ବେଡ୍‌ସିଟ୍‌, ପାନିପାଟ ବେଡ୍‌ସିଟ୍‌, ସୁଟ୍‌, କୁର୍ତ୍ତା, ବନାରସୀ ସାଲ ଓ ଶାଢ଼ୀ, ଖଦୀ ଶାର୍ଟ, କୁର୍ତ୍ତା, କୋଲକାତା ଟପ ଓ ଜିନ୍ସ, ଜୋତା, ଚପଲ, ବମ୍ବେ ସିଲ୍କ, ହାଇଦ୍ରାବାଦୀ ପର୍ସ ଓ ଅଳଙ୍କାର, ବମ୍ବେ ଫ୍ୟାନ୍ସି ଟପ, ଭାଗଲପୁରୀ ଶାଢ଼ୀ ଓ ପୋଷାକ, କାନପୁର ଚମଡା ବ୍ୟାଗ, ପର୍ସ, ମହିସୁର ଅଗରବତୀ, ଆୟୁର୍ବେଦିକ ତେଲ, ବେବି ସୁଟ୍‌, ଟେବୁଲ ମ୍ୟାଟ, ଡୋର ମ୍ୟାଟ, ହରିୟାଣାର ହ୍ୟାଣ୍ଡଲୁମ, ଟି-ଶାର୍ଟ, ଶାହାରାନପୁର ଆସବାବପତ୍ର, କୋଲକାତାର ଟେରାକୋଟା, କର୍ନାଟକ ଚନ୍ଦନ କାଠ ଖେଳଣା, ରାଜସ୍ଥାନୀ ଚପଲ, ଫିରୋଜାବାଦ କାଚ ଚୁଡି ସମେତ କାରୁକାର୍ଯ୍ୟ ପୂର୍ଣ୍ଣ କାଠ ସାମଗ୍ରୀ ମେଳାରେ ମହଜୁଦ ରହିଛି। ମେଳା ପ୍ରତ୍ୟହ ସକାଳ ୧୦ଟାରୁ ରାତ୍ରି ୧୦ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଗ୍ରାହକଙ୍କ ସକାଶେ ପାର୍କିଂ, ଆଲୋକ, ପିଇବା ପାଣି ବ୍ୟବସ୍ଥା କରାଯାଇଛି।

Share