ଓଡ଼ିଶାର ୪ ଶିକ୍ଷାଧିକାରୀଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର, ୭।୧୨ (ଅସମାପିକା ସାହୁ):ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ଅନୁଷ୍ଠାନ (ଏନ୍‌ଆଇଇପିଏ) ଦ୍ୱାରା ନୂଆଦିଲ୍ଲୀର ଡ. ଆମ୍ବେଡକର ଅନ୍ତର୍ଜାତୀୟ କେନ୍ଦ୍ରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଅଭିନବ ପ୍ରୟାସ ପାଇଁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶାର ୪ଜଣ ଶିକ୍ଷାଧିକାରୀଙ୍କୁ ଜାତୀୟ ପୁରସ୍କାର ମିଳିଛି। ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ସ୍ତରରେ କାର୍ଯ୍ୟରତ ୪ଜଣ ଶିକ୍ଷାଧିକାରୀଙ୍କୁ ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଅଭିନବ ପ୍ରୟାସ ପାଇଁ ୨୦୨୦ -୨୦୨୧ ଓ ୨୦୨୧ -୨୦୨୨ ବର୍ଷ ନିମନ୍ତେ ସମ୍ମାନଜନକ ଜାତୀୟ ପୁରସ୍କାର ମିଳିଛି। ସେମାନେ ହେଲେ ବାଲିପାଟଣା ପ୍ରାକ୍ତନ ବ୍ଲକ ଶିକ୍ଷାଧିକାରୀ ତଥା ବର୍ତ୍ତମାନର ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଉପନିର୍ଦ୍ଦେଶକ ମହେଶ୍ୱର ସାହୁ, କଟକ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ସନ୍ତୋଷ କୁମାର ରାଉତ, ଭୁବନେଶର ବ୍ଲକ ଶିକ୍ଷାଧିକାରୀ ପ୍ରଜ୍ଞା ପାରମିତ ଜେନା ଏବଂ ଗଞ୍ଜାମ ବ୍ଲକ ଶିକ୍ଷାଧିକାରୀ ଭାଗୀରଥି ବେହେରା। ସୁନ୍ଦର ବିଦ୍ୟାଳୟ ପରିବେଶରେ ଆନନ୍ଦଦାୟକ ଶିକ୍ଷା ଦିଗରେ ଅଭିନବ ପ୍ରୟାସ ପାଇଁ ମହେଶ୍ୱର ସାହୁଙ୍କୁ ଜାତୀୟ ପୁରସ୍କାର ମିଳିଥିବା ବେଳେ ଛାତ୍ରୀଛାତ୍ରଙ୍କ ଅନଲାଇନ ପାଠପଢ଼ା ପାଇଁ ଶିକ୍ଷଣ ସାମଗ୍ରୀ ସୃଷ୍ଟି ଓ ତାହାର ଉପଯୋଗ ଉପରେ ଡ. ସନ୍ତୋଷ କୁମାର ରାଉତଙ୍କୁ ଏହି ପୁରସ୍କାର ମିଳିଛି। ପ୍ରଜ୍ଞା ପାରମିତା ଜେନାଙ୍କୁ ବଗିଚାରେ ପାଠପଢ଼ା ଓ ଅନ୍ୟ ଅଭିନବ ପ୍ରୟାସ ପାଇଁ ଏବଂ ଭାଗୀରଥୀ ବେହେରାଙ୍କୁ ବିଦ୍ୟାଳୟ ସ୍ତରରେ ଶିଶୁ ଲେଖକ ସୃଷ୍ଟି ଦିଗରେ ପ୍ରଚେଷ୍ଟା ଲାଗି ଜାତୀୟ ପୁରସ୍କାର ଓ ପ୍ରଶଂସା ପତ୍ର ମିଳିଛି। ଏହି ଶିକ୍ଷାଧିକାରୀମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଏହି ସମ୍ମାନଜନକ ଜାତୀୟ ପୁରସ୍କାର ଗ୍ରହଣ କରି ଜାତୀୟ ସ୍ତରରେ ଓଡ଼ିଶାର ସମ୍ମାନ ବୃଦ୍ଧି କରିଛନ୍ତି।

Share