Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପଦରୁ ହଟାଇବାକୁ ସରିଥିଲା ପ୍ରସ୍ତୁତି! ପୁସ୍ତକରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୦।୬: ଲୋକ ସଭା ନିର୍ବାଚନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନିଜର ପ୍ରଚାର ଅଭିଯାନରେ ବାରମ୍ବାର ଗୋଟିଏ କଥା ଦୋହରାଇଥିଲେ। ସେଇଟି ଥିଲା ଭାଜପା କ୍ଷମତାକୁ ଆସିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହଟାଇ ଦିଆଯିବ। ଯଦିଓ ଭାଜପା ପକ୍ଷରୁ ଏଭଳି ଦାବିକୁ ଖଣ୍ଡନ କରାଯାଇଥିଲା। ହେଲେ ପୁଣିଥରେ ଆଦିତ୍ୟନାଥ ଚର୍ଚ୍ଚାକୁ ଆସିଛନ୍ତି।

୨୦୨୨ରେ ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ପ୍ରସ୍ତୁତି ସରିଥିଲା। ଏନେଇ ଦାବି କରିଛନ୍ତି ଇଣ୍ଡିଆନ ଏକ୍ସପ୍ରେସର ବରିଷ୍ଠ ଖବରଦାତା ଶ୍ୟାମପାଳ ଯାଦବ। ସେ ନିଜର ପୁସ୍ତକ ‘At the Heart Of Power: The Chief Ministers Of Uttar Pradesh’ରେ ଏନେଇ ଉଲ୍ଲେଖ କରିଛନ୍ତି।

ଶ୍ୟାମପାଳ ନିଜ ପୁସ୍ତକରେ କହିଛନ୍ତି,ୟୁପି ବିଧାନସଭା ନିର୍ବାଚନ ହେବାକୁ କେବଳ ୯ ମାସ ସମୟ ବାକି ରହିଛି। ଏମିତିରେ ଲକ୍ଷ୍ନୌ ଏବଂ ଦିଲ୍ଲୀରେ ଭାଜପା-ଆର୍‌ଏସ୍‌ଏସ୍‌ ନେତାଙ୍କ ଅନେକ ଥର ବୈଠକ ହୋଇଛି। ଗୋଟିଏ ସମୟରେ ନିଶ୍ଚିତ ହୋଇଯାଇଥିଲା ଯେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପଦରୁ ହଟାଇ ଦିଆଯିବ। ଯୋଗୀ ଆଦିତ୍ୟନାଥ ନେତୃତ୍ୱରେ କୌଣସି ପରିବର୍ତ୍ତନ କରାଯିବା ପୂର୍ବରୁ ଭାଜପାର ହାଇକମାଣ୍ଡଙ୍କୁ ଆଭାସ ହୋଇଗଲା ଯେ ଏବେ ସରକାର ଚାଲୁଥିବା ଯୋଗୁ ଆଦିତ୍ୟନାଥଙ୍କୁ ପଦରୁ ହଟାଗଲେ ଦଳକୁ କ୍ଷତି ସହିବାକୁ ହେବ।

ତେବେ ଶ୍ୟାମଲାଲ ନିଜ ପୁସ୍ତକରେ ଯୋଗୀଙ୍କୁ ହଟାଯିବାକୁ ଚେଷ୍ଟା ପଛରେ କି କାରଣ ରହିଛି ସେନେଇ ସ୍ପଷ୍ଟ ଭାବେ କହି ନାହାନ୍ତି। ହେଲେ ଯୋଗୀଙ୍କ ଉପରେ ଲେଖାଯାଇଥିବା ୧୬ ପୃଷ୍ଠାରେ ସେ ସରକାରଙ୍କ ବିରୋଧରେ ହେଉଥିବା ବିଷୟକୁ ଉଲ୍ଲେଖ କରିଛନ୍ତି। ଉଦାହରଣ ସ୍ବରୂପ ସେ କହିଛନ୍ତି ଯେ ସେତେବେଳେ ଆଦିତ୍ୟନାଥଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟଙ୍କ ମତଭେଦ ବଢ଼ୁଥିଲା। ଏହି ମାମଲାରେ ସଂଘର ନେତା ଦଖଲ ଦେବା ପରେ ଜୁନ ୨୦୨୧ରେ ମୁଖ୍ୟମନ୍ତ୍ରୀ ହଠାତ କେଶବଙ୍କୁ ଭେଟିବାକୁ ପହଞ୍ଚିଥିଲେ। ଏହି ଭେଟକୁ ସମ୍ପର୍କରେ ସୁଧାର ଭାବେ ଦେଖାଯାଇଥିଲା।

କେଶବ ପ୍ରସାଦଙ୍କୁ ୨୦୧୬ ମସିହା ଏପ୍ରିଲରେ ଉତ୍ତରପ୍ରଦେଶ ଅଧ୍ୟକ୍ଷ କରାଯାଇଥିଲା। ୨୦୧୭ରେ ଭାଜପା ବିଜେତା ହେବା ପରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ତାଙ୍କ ନାମ ରହିଥିଲା। ହେଲେ ଭାଜପାର ଶୀର୍ଷ ନେତୃବୃନ୍ଦ କେଶବଙ୍କ ସ୍ଥାନରେ ଆଦିତ୍ୟନାଥଙ୍କୁ ଉତ୍ତରପ୍ରଦେଶର ଦାୟିତ୍ୱ ନେଇଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା।

Share