ଭୁବନେଶ୍ବର, ୧୭।୨(କ୍ରୀଡ଼ା ପ୍ରତିନିଧି)- ବେଙ୍ଗାଲୁରୁରେ ଆୟୋଜିତ ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ରନର୍ସ ଅପ୍ ହୋଇଛି। ମଙ୍ଗଳବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଓଡ଼ିଶା ୮୦ ରନରେ ଆନ୍ଧ୍ର ପ୍ରଦେଶଠାରୁ ହାରି ଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଆନ୍ଧ୍ର ପ୍ରଦେଶ ୨୦ ଓଭରରେ ୩ ଉଇକେଟ ହରାଇ ୨୪୬ ରନ କରିଥିଲା। ଦଳ ପକ୍ଷରୁ ଡି. ଭେଙ୍କଟେଶ୍ୱର ରାଓ ସର୍ବାଧିକ ୧୩୨ ରନ କରିଥିଲେ। ୨୪୭ ରନ ବିଜୟ ଲକ୍ଷ୍ୟର ପିଛା କରି ଓଡ଼ିଶା ୫ ଉଇକେଟ ହରାଇ ୧୬୬ ରନ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ସୁଖରାମ ମାଝି ସର୍ବାଧିକ ୫୨*, ନକୁଳ ବଡ଼ନାୟକ ୪୦ ଓ ପଙ୍କଜ ଭୁଏ ୩୫ ରନ କରିଥିଲେ। ଭେଙ୍କଟେଶ୍ୱର ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପାଇଥିଲେ। କର୍ନାଟକ କ୍ରୀଡ଼ା ମନ୍ତ୍ରୀ ସି. ନାରାୟଣ ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।