Categories: ବାଣିଜ୍ୟ

ଆପୋଲୋରେ ଜାତୀୟ ଅସ୍ଥି-ଗଣ୍ଠି ଦିବସ

ଭୁବନେଶ୍ୱର,୫।୮: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଜାତୀୟ ଅସ୍ଥି ଏବଂ ଗଣ୍ଠି ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସଡ଼କ ଦୁର୍ଘଟଣା ଏବଂ ନିରାପତ୍ତା ସହ ଦୁର୍ଘଟଣାସ୍ଥଳରେ ମୌଳିକ ଲାଇଫ ସପୋର୍ଟ ପ୍ରଶିକ୍ଷଣ ଆଦି ସମ୍ପର୍କରେ ନାଗରିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଅଗଷ୍ଟ ପ୍ରଥମ ସପ୍ତାହକୁ ଅସ୍ଥି ଏବଂ ଗଣ୍ଠି ସପ୍ତାହ ଭାବେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଏପରିକି ନର୍ସ, ଆମ୍ବୁଲାନ୍ସ ଡ୍ରାଇଭର, ସ୍କୁଲ ଓ କଲେଜର ଛାତ୍ରୀଛାତ୍ର, ନାଗରିକ ମଞ୍ଚ ଭଳି ବିଭିନ୍ନ ଗୋଷ୍ଠୀଙ୍କୁ ମୌଳିକ ଜୀବନ ସହାୟତା ପ୍ରଶିକ୍ଷଣ ପ୍ରଦାନ କରାଯାଏ। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଏହାର ଥିମ୍‌ ‘ପ୍ରତ୍ୟେକ ବ୍ୟକ୍ତି ଜଣଙ୍କୁ ଶିଖାନ୍ତୁ ଏବଂ ଜଣଙ୍କୁ ବଞ୍ଚାନ୍ତୁ’ ରହିଛି, ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କୁ ବଞ୍ଚାଇବା ଥିମ୍‌ର ମୂଳ ଲକ୍ଷ୍ୟ ବୋଲି କୁହାଯାଉଛି। ଅପରପକ୍ଷରେ ଟ୍ରାଫିକ ନିରାପତ୍ତା ଓ ଅସ୍ଥି ଏବଂ ଗଣ୍ଠି ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ଅର୍ଥୋପେଡିକ ଆସୋସିଏଶନ (ଇଣ୍ଡିଆନ ଅର୍ଥୋପେଡିକ ଆସୋସିଶଏନର ରାଜ୍ୟ ଶାଖା) ପକ୍ଷରୁ ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ପରିସରରେ ଏକ ସାଇକ୍ଲୋଥନ୍‌ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଆପୋଲୋ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗର ବରିଷ୍ଠ ପରାମର୍ଶଦାତା ଡା. ଦେବବତ୍ର ପାଢ଼ୀ ସଂଯୋଜନା କରିଥିଲା ବେଳେ ଆପୋଲୋ ହସ୍ପିଟାଲର ସିଓଓ ଡା. ଆଲୋକ ଶ୍ରୀବାସ୍ତବ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଅର୍ଥୋପେଡିକ ଆସୋସିଏଶନର ସମ୍ପାଦକ ଡା. ବସନ୍ତ କୁମାର ବେହେରା, ଡା. ଆର୍‌.କେ. ମହାପାତ୍ର. ଡା. କେ.ଆର୍‌ ମହାପାତ୍ର, ଡା. ପି.ସି.ଦେଓ ଏବଂ ଡା. ଏ.କେ. ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ଓଲିଉଡ୍‌ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ୪୦ ଜଣିଆ ସାଇକେଲ ଟିମ୍‌ ସଚେତନତା ଶୋଭାଯାତ୍ରା କରିଥିଲେ।

Share