Categories: ବାଣିଜ୍ୟ

ଡିକାର୍ବୋନାଇଜେଶନ ରଣନୀତି ଉପରେ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର,୧।୨: ଇଣ୍ଡିଆନ ଚ୍ୟାମ୍ବର ଅଫ୍‌ କମର୍ସ (ଆଇସିସି) ଓ ବସୁଧା ଫାଉଣ୍ଡେଶନର ମିଳିତ ସହଯୋଗରେ ଏକ ଦିନିକିଆ କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଡିକାର୍ବୋନାଇଜେଶନ ରଣନୀତି ଉପରେ କ’ଣ ପଦକ୍ଷେପ ନିଆଯାଇପାରିବ, ତାହାକୁ ନେଇ ଏକ ଜାତୀୟ ସମ୍ମିଳନୀ ଓଡ଼ିଶାରେ ଆୟୋଜିତ ହୋଇଥିଲା। ଏହି ଅବସରରେ ଆଇସିସି ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେ.ବି . ପାଣି ଅଧ୍ୟକ୍ଷତାକରି କହିଥିଲେ, ବର୍ତ୍ତମାନ ଦେଶରେ ଅକ୍ଷୟ ଶକ୍ତି କ୍ଷମତାକୁ ୩ ଗୁଣ ବୃଦ୍ଧି କରିବାକୁ ଯୋଜନା କରାଯାଉଛି। ୨୦୩୦ ସୁଦ୍ଧା ଅତି କମ୍‌ରେ ୧୧,୦୦୦ ଗିଗା ଓ୍ବାଟ (ଜିଡବ୍ଲ୍ୟୁ) ପାଇଁ ଲକ୍ଷ୍ୟ ରଖିଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଓ ରାଜ୍ୟ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିର୍ଦ୍ଦେଶକ ଡ. କେ. ମୁରୁଗେସନ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ପାଇଁ ରାଜ୍ୟ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରିଥିବା ଓଡ଼ିଶା ରାଜ୍ୟ ହେଉଛି ପ୍ରଥମ ରାଜ୍ୟ। ବର୍ତ୍ତମାନ ଓଡ଼ିଶା ରାଜ୍ୟ ପାଇଁ ନେଟ୍‌ ଜିରୋ ରଣନୀତି ଲାଗି ଏକ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରୁଛି। ବସୁଧା ଫାଉଣ୍ଡେଶନ ସିଇଓ ଶ୍ରୀନିବାସ କ୍ରିଷ୍ଣାସ୍ବାମୀ କହିଥିଲେ, ପ୍ରତ୍ୟେକ ଅନନ୍ୟ ସାମାଜିକ-ଅର୍ଥନୈତିକ ପ୍ରୋଫାଇଲ୍‌, ଶକ୍ତି ବ୍ୟବହାର ଢାଞ୍ଚା, ସମ୍ବଳ, ପ୍ରାକୃତିକ ସମ୍ପଦ ଏବଂ ଅନ୍ୟମାନଙ୍କ ମଧ୍ୟରେ ଏହାର ପରିଚାଳନା ରହିଛି। ସମ୍ମାନିତ ଅତିଥି ଭାବେ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ତଥା ଆଇସିସି ରାଜ୍ୟ ପରିଷଦ ଇଏସ୍‌ଏଚ୍‌ କମିଟିର ପ୍ରମୁଖ ଉପଦେଷ୍ଟା ଡ. ମଳୟ କୁମାର ପ୍ରଧାନ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସିଇଇ ତଥା ଆଇସିସି ରାଜ୍ୟ ପରିଷଦ ଇଏସ୍‌ଏଚ୍‌ କମିଟିର ଆାବହକ ଡ. ଏନ୍‌. ଆର୍‌ .ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆଇସିସି ରାଜ୍ୟ ପରିଷଦ ଇଏସ୍‌ଏଚ୍‌ କମିଟିର ସହ ଆବାହକ ଇଂ ରାଜେଶ କାନୁନ୍‌ଗୋ ଧନ୍ୟବାଦ ଅର୍ପଣ କରିଥିଲେ।

 

Share