Categories: ଜାତୀୟ

ଏସବୁ ଅଞ୍ଚଳରେ ପ୍ରଥମେ ଆରମ୍ଭ ହେଲା ଡିଜିଟାଲ ସ୍ବାସ୍ଥ୍ୟ ମିଶନ

ନୂଆଦିଲ୍ଲୀ, ୧୬।୮: ଦେଶର ସମସ୍ତ ଲୋକଙ୍କୁ ଏବେ ଡିଜିଟାଲ ସ୍ମାର୍ଟ ହେଲଥ୍‌ କାର୍ଡ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧିନତା ଦିବସ ଅବସରରେ ଘୋଷଣା କରିଥିଲେ। ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନର ଶୁଭାରମ୍ଭର ଗୋଟିଏ ଦିନ ପରେ ଏହି ସେବାର ଆରମ୍ଭ ପ୍ରଥମ କରି ୬ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରୀକ୍ଷାମୂଳକ ଭାବେ କରାଯାଇଛି। ଚଣ୍ଡିଗଡ଼, ଲଦାଖ, ପୁଡୁଚେରୀ, ଦାଦର ଏବଂ ନଗର ହବେଲୀ, ଡାମନ-ଡିୟୁ, ଅଣ୍ଡାମାନ ନିକୋବର ଏବଂ ଲାକ୍ଷାଦ୍ୱୀପ ଆଦିଠାରେ ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନ ରବିବାରଠାରୁ କାର୍ଯ୍ୟ ଆରମ୍ଭ କରିଛି। ଏହି ଯୋଜନା ଅନ୍ତର୍ଗତ ଦେଶର ସମସ୍ତ ଜନସାଧାରଣଙ୍କୁ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଯୋଗାଥ ଦିଆଯିବ। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ରୋଗର ବିବରଣୀ, ଔଷଧ ବିଷୟରେ ଆବଶ୍ୟକ ତଥ୍ୟ, ହସ୍ପିଟାଲ ଏବଂ ଔଷଧ ଦୋକାନର ତଥ୍ୟ ଆଦି ରହିବ। ଏହି ସ୍ମାର୍ଟ କାର୍ଡ ଦ୍ୱାରା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସହଜରେ ଲୋକଙ୍କୁ ଚିକିତ୍ସା ପ୍ରଦାନ କରାଯାଇ ପାରିବ। ଡାକ୍ତର କାର୍ଡ ଦ୍ୱାରା ସମ୍ପୃକ୍ତ ବ୍ୟକ୍ତିଙ୍କ ରୋଗ, ସେ ବ୍ୟବହାର କରୁଥିବା ଔଷଧ ସମ୍ପର୍କରେ କମ୍‌ ସମୟ ମଧ୍ୟରେ ଜାଣିପାରିବେ। ଏହାଦ୍ୱାରା ପରବର୍ତ୍ତୀ ଚିକିତ୍ସା ସହଜ ହୋଇପାରିବ। ଏଥିରେ ହେଲ୍‌ଥ ଆଇଡି, ବ୍ୟକ୍ତିଗତ ସ୍ବାସ୍ଥ୍ୟ ରେକର୍ଡ, ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ତଥ୍ୟ ଏବଂ ସ୍ବାସ୍ଥ୍ୟ ସେବା ସୁବିଧା ରେଜିଷ୍ଟ୍ରି ଆଦି ୪ଟି ବୈଶିଷ୍ଟ୍ୟ ରହିବ। ପରବର୍ତ୍ତୀ ସମୟରେ ଏହି କାର୍ଡରେ ଟେଲିମିଡ଼ସିନ୍‌ ଏବଂ ଇ-ଫାର୍ମାସୀ ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯିବ। ଏହାଦ୍ୱାରା ସରକାରଙ୍କୁ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ଯୋଜନା ପ୍ରସ୍ତୁତ ଏବଂ ଏହାର ପ୍ରଣୟନ କ୍ଷେତ୍ରରେ ସୁବିଧା ହେବ।

Share