ନୂଆଦିଲ୍ଲୀ,୨୧।୪: କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ନୂଆ ଆପରାଧିକ ଆଇନକୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ପ୍ରଶଂସା କରିଛନ୍ତି। ଏହା ଆପରାଧିକ ନ୍ୟାୟ ଉପରେ ଭାରତର ନ୍ୟାୟିକ ଢାଞ୍ଚାକୁ ନୂତନ ଯୁଗ ଅନୁଯାୟୀ ବଦଳାଇଦେଇଥିବା ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି। ‘ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥା ଉପରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ସମ୍ମିଳନୀରେ ଉଦ୍ବୋଧନ ଦେଇ ସିଜେଆଇ କହିଥିଲେ, ପୀଡ଼ିତଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଏଥିରେ ଗୁରୁତ୍ୱ ଦିଆଯିବା ସହ ତଦନ୍ତ ଏବଂ ବିଚାର ପ୍ରକ୍ରିୟାକୁ ଅଧିକ ପ୍ରଭାବୀ କରାଯାଇଛି। ୩ ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହେବା ସହ ଦେଶର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ ହେବାକୁ ଯାଉଛି। ଆମ ସମାଜ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ, କାରଣ ଆପରାଧିକ ଆଇନ ଭଳି କୌଣସି ଆଇନ ଆମ ସମାଜର ଦୈନନ୍ଦିନ ଆଚରଣଭୁ ପ୍ରଭାବିତ କରି ନ ଥାଏ ବୋଲି ସିଜେଆଇ କହିଛନ୍ତି।