Categories: ଜାତୀୟ

ଭାରତୀୟ ବାୟୁସେନା ପାଇଁ ନୂଆ ଯୁଗ ଆରମ୍ଭ, ଆଇଏଏଫ୍‌ର ମେରୁଦଣ୍ଡ ହେବ ସି-୨୯୫ ବିମାନ

ଗାଜିଆବାଦ,୨୫ା୯ : ଭାରତୀୟ ବାୟୁସେନାରେ ସୋମବାର ପ୍ରଥମ ସି-୨୯୫ ପରିବହନ ବିମାନ ସାମିଲ ହୋଇଛି। ଏହା ବାୟୁସେନାର ଲଜିଷ୍ଟିକ୍‌ ସାମର୍ଥ୍ୟ ବଢ଼ାଇବାରେ ସହାୟକ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ହିଣ୍ଡନ ବାୟୁସେନା ଷ୍ଟେଶନରେ ସି-୨୯୫ ସାମିଲ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେଠାରେ ସର୍ବଧର୍ମ ପୂଜା କରିଥିଲେ। ଉତ୍ସବରେ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଭି.ଆର୍‌. ଚୌଧରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୁରୁଣା ଆଭ୍ରୋ-୭୪୮ ବିମାନ ସ୍ଥାନରେ ସି-୨୯୫ ବିମାନ ସାମିଲ କରିବାକୁ ଏୟାରବସ୍‌ ଡିଫେନ୍ସ ଆଣ୍ଡ ସ୍ପେସ୍‌ ସହ ୨୧,୯୩୫ କୋଟି ଟଙ୍କାର ଡିଲ୍‌ ହୋଇଥିଲା। ୫୬ଟି ବିମାନ ଅଣାଯିବାକୁ ଥିବାବେଳେ ଗତ ୧୩ ତାରିଖରେ ଭାରତକୁ ପ୍ରଥମ ସି-୨୯୫ ବିମାନ ମିଳିଥିଲା। ୨୦ ତାରିଖରେ ଉକ୍ତ ବିମାନ ବଡୋଦରାରେ ଅବତରଣ କରିଥିଲା।
ହିଣ୍ଡନ ଏୟାରବେସ୍‌ରେ ଏକ ମେଗା ଡ୍ରୋନ୍‌ ଶୋ’କୁ ପ୍ରତିରକ୍ଷା ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଭାରତ ଡ୍ରୋନ୍‌ ଶକ୍ତି ୨୦୨୩ ନାମରେ ଉକ୍ତ ଶୋ’ ବାୟୁସେନା ଏବଂ ଡ୍ରୋନ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ ଦ୍ୱାରା କରାଯାଉଛି। ଏହି ଶୋ’ରେ ୭୫ଟି ଡ୍ରୋନ୍‌ ସାମିଲ ହୋଇଛନ୍ତି।

Share