Categories: ଖେଳ

ଜାତୀୟ କ୍ରୀଡା: ସ୍ବସ୍ତି ସିଂଙ୍କୁ ସ୍ବର୍ଣ୍ଣ ପଦକ, ଖୋ ଖୋରେ ୨ ରୌପ୍ୟ, ଓଡ଼ିଶାର ପଦକ ସଂଖ୍ୟା ୫୦ ପାର

ଭୁବନେଶ୍ୱର,୮ା୧୧: ଗୋଆରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡାରେ ଓଡ଼ିଶା ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ବୁଧବାର ଓଡ଼ିଆ ସାଇକ୍ଲିଷ୍ଟ ସ୍ବସ୍ତି ସିଂ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଓଡ଼ିଶାର ପଦକ ସଂଖ୍ୟା ୫୦ ପାର କରିଛି। ୭୫ କି.ମି. ମାସ୍‌ ଷ୍ଟାର୍ଟ ରୋଡ ସାଇକ୍ଲିଂ ଇଭେଣ୍ଟରେ ସ୍ବସ୍ତି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ସହିତ ଓଡ଼ିଶାର ପୁରୁଷ ଓ ମହିଳା ଖୋ ଖୋ ଦଳ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ନୂତନ ଭାବରେ ଜାତୀୟ କ୍ରୀଡାରେ ସାମିଲ କରାଯାଇଥିବା ସ୍କ୍ବେ ମାର୍ଶିଆଲ ଆଟର୍‌ସରେ ଓଡ଼ିଶାର କୁନ୍ଧା ମାଝି ରୌପ୍ୟ ପଦକ ହାସଲ କରିଥିବା ବେଳେ ମୀନତି ସାହୁ ଓ ଡିଲାଫ୍ରୋଜ୍‌ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ସେହିପରି ଲନ୍‌ ବୋଲ୍‌ରେ ମଧ୍ୟ ଓଡ଼ିଶା ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛି। ପୁରୁଷ ଫୋର୍‌ସ ଓ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଦଳ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛି। ବୁଧବାର ସାଇକ୍ଲିଂରେ ଓଡ଼ିଶା ଏହାର ଚତୁର୍ଥ ପଦକ ହାସଲ କରିଥିଲା। ପୂର୍ବରୁ ୩ଟି ବ୍ରୋଞ୍ଜ ମିଳିଥିବା ବେଳେ ସ୍ବସ୍ତି ବ୍ୟକ୍ତିଗତ ପ୍ରଥମ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ଅନ୍ୟ ପକ୍ଷରେ ଖୋ ଖୋରେ ଉଭୟ ପୁରୁଷ ଓ ମହିଳା ଦଳର ଅପରାଜେୟ ଧାରା ଶେଷ ହୋଇଛି। ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ୍‌ ମହାରାଷ୍ଟ୍ର ଉଭୟ ଦଳଙ୍କୁ ପରାସ୍ତ କରିଥିଲା।

ପୁରୁଷ ଦଳ ୨୬-୭୨ରେ ପରାଜିତ ହୋଇଥିବା ବେଳେ ମହିଳା ଦଳ ସଂଘର୍ଷପୂର୍ଣ୍ଣ ୪୦-୪୬ରେ ପରାଜିତ ହୋଇଥିଲା। ମହାରାଷ୍ଟ୍ର ଏକ ଶକ୍ତିଶାଳୀ ଦଳ ହୋଇଥିବା ବେଳେ ଆମ ଦଳର ପ୍ରଦର୍ଶନକୁ ନେଇ ମୁଁ ଖୁସି ଅଛି ବୋଲି କୋଚ୍‌ ସଞ୍ଜୀବ ଶର୍ମା କହିଛନ୍ତି। ଅଗଷ୍ଟ ମାସରୁ ଆମେ ଜାତୀୟ କ୍ରୀଡା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲୁ ଯାହାର ସୁଫଳ ମିଳିଛି। ପୁରୀରେ କରାଯାଇଥିବା କ୍ୟାମ୍ପ ଆମ ପାଇଁ ଲାଭଦାୟକ ରହିଥିଲା ବୋଲି ସେ କହିଛନ୍ତି। ଏହା ସହ ସେ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳୁଥିବା ସହାୟତାକୁ ପ୍ରଶଂସା କରିଛନ୍ତି। ଦୀର୍ଘ ୩୬ ବର୍ଷର କ୍ରୀଡା କ୍ୟାରିୟର ମଧ୍ୟରେ କୌଣସି ସରକାରଙ୍କ ନିକଟରୁ ଏଭଳି ସହଯୋଗିତା ଦେଖି ନାହିଁ ବୋଲି ସେ କହିଛନ୍ତି।

Share