Advertisement

ରିପୋର୍ଟ ମାଗିଲେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ

କଟକ ଅଫିସ,୨୨।୮: କିଶନନଗର ତହସିଲ ରତିଲୋ ମୌଜାର ମହାନଦୀ ପଠାରେ ପଞ୍ଚମୁଖୀ ହନୁମାନ ମନ୍ଦିର ଓ ଅନ୍ୟ ନିର୍ମାଣ କାର୍ଯ୍ୟକୁ ବିରୋଧକରି ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ରେ ମାମଲା ଦାଏର ହୋଇଥିଲା। ଶୁଣାଣି ବେଳେ ନିର୍ମାଣ କାର୍ଯ୍ୟ ପାଇଁ ନିୟମ ଉଲ୍ଲଂଘନ କରାଯାଇଥିବା ଟ୍ରିବ୍ୟୁନାଲ୍‌ ରାୟ ଦେଇଛନ୍ତି। କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ମହାନଦୀ ପଠାର ବାଲିଯାତ୍ରା ପଡ଼ିଆରେ ମଧ୍ୟ କେତେକ ନିର୍ମାଣ କାର୍ଯ୍ୟ ଚାଲିଛି। ତିନି ମାସ ମଧ୍ୟରେ ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ଟ୍ରିବ୍ୟୁନାଲ୍‌ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୧୫ରେ ପରବର୍ତ୍ତୀ ଶୁଣାଣି କରାଯିବ। ପ୍ରକାଶ ଯେ, କିଶନନଗର ତହସିଲର ରତିଲୋ ମୌଜାର ମହାନଦୀ ପଠାରେ ଏକ ପଞ୍ଚମୁଖୀ ହନୁମାନ ମନ୍ଦିର ନିର୍ମାଣ ଚାଲିଛି। ପଠାରୁ ଏହା ମାତ୍ର ୩୫ ମିଟର ଦୂରରେ ରହିଛି। ନିର୍ମାଣ ପାଇଁ ପ୍ରଶାସନ ପାଖରୁ ଅନୁମତି ଅଣାଯାଇ ନାହିଁ। ବନ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ଯୋଗୁ ନିର୍ମାଣକୁ ବିରୋଧକରି ଦିଲ୍ଲୀପ ସାମନ୍ତରାୟ ଟ୍ରିବ୍ୟୁନାଲ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ତଦନ୍ତ ପାଇଁ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲ୍‌ ନିର୍ଦ୍ଦେଶ ଦେଇଥିଲେ। ଜଳସମ୍ପଦ ବିଭାଗର ସଚିବ ଏହାର ଅଧ୍ୟକ୍ଷ ରହିଛନ୍ତି। ଜୁଲାଇ ୨୪ରେ ଏହି ଉଚ୍ଚସ୍ତରୀୟ କମିଟି ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଟ୍ରିବ୍ୟୁନାଲ୍‌ଙ୍କୁ ରିପୋର୍ଟ ଦେଇଥିଲେ। ନିର୍ମାଣ ପାଇଁ ଅନୁମତି ନିଆଯାଇ ନାହିଁ। ଏଠାରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ କରିବା ବେଆଇନ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା। ରିପୋର୍ଟ ପାଇବା ପରେ ମାମଲାର ଶୁଣାଣି ବେଳେ ଟ୍ରିବ୍ୟୁନାଲ୍‌ କହିଛନ୍ତି ଯେ ନିର୍ମାଣ ବେଆଇନ୍‌ ଭାବେ ଚାଲିଥିବା ଯଦି ରାଜ୍ୟ ସରକାର ଜାଣିଛନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ଶୁଣାଣି ବେଳେ ମହାନଦୀ ପଠାର ବାଲିଯାତ୍ରା ପଡ଼ିଆରେ ଚାଲିଥିବା ନିର୍ମାଣ କାର୍ଯ୍ୟ ନେଇ ମଧ୍ୟ ଆଲୋଚନା ହୋଇଥିଲା। ବନ୍ୟା ପ୍ରଭାବିତ ଅଞ୍ଚଳରେ ଏହି ନିର୍ମାଣ ଚାଲିଛି। ତେଣୁ ପୂର୍ବରୁ ଗଠିତ କମିଟି ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ୩ ମାସ ମଧ୍ୟରେ ଦେବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share