Categories: ଜାତୀୟ

‘ପରିବାର ପକେଟ୍‌ରେ କଂଗ୍ରେସ ସମ୍ପତ୍ତି’

ନୂଆଦିଲ୍ଲୀ,୨୧।୭: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ପଚରାଉଚରା ପାଇଁ ଡକାଯାଇଛି। ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ସାରା ଦେଶରେ ବିରୋଧ କରିବାକୁ ଯାଉଛନ୍ତି। କଂଗ୍ରେସର ଏହି ପ୍ରତିବାଦକୁ ତାଚ୍ଛଲ୍ୟ କରିଛନ୍ତି ଭାଜପା ନେତା ରବି ଶଙ୍କର ପ୍ରସାଦ। ସେ କହିଛନ୍ତି, ଆଜି ଇଡି ସୋନିଆ ଗାନ୍ଧୀଙ୍କୁ ପଚରାଉଚରା କରିବ। କଂଗ୍ରେସ ସତ୍ୟାଗ୍ରହ କରିବାକୁ ଯାଉଛି। ଏହା ସତ୍ୟାଗ୍ରହ ନୁହେଁ ବରଂ ଏକ ଦୁରାଗ୍ରହ। ପ୍ରକୃତରେ ସେମାନେ ଏହି ମାମଲାରେ ଜାମିନରେ ଅଛନ୍ତି। କଂଗ୍ରେସ ଗୋଟିଏ ପରିବାର ଦଳ ହୋଇ ରହିଯାଇଛି। ଏବେ କଂଗ୍ରେସର ସମ୍ପତ୍ତି ପରିବାରର ପକେଟ୍‌କୁ ଆଣିବାକୁ ଉଦ୍ୟମ କରାଯାଉଛି। ନ୍ୟାଶନାଲ ହେରାଲ୍ଡ ମାମଲାରେ ମଧ୍ୟ ସମାନ ପ୍ରୟାସ କରାଯାଉଛି।
କଂଗ୍ରେସ ଏବଂ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରି ରବି ଶଙ୍କର ପ୍ରସାଦ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀ, ମୁମ୍ବାଇ, ମୋହାଲିରେ ନ୍ୟାଶନାଲ ହେରାଲ୍ଡର ହଜାରେ କୋଟି ସମ୍ପତ୍ତି ରହିଛି ଏବଂ ଏହାର ତଦନ୍ତ ଚାଲିଛି। ମୋଦିଜୀ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କୁ ହଇରାଣ କରିବାକୁ ଚେଷ୍ଟା କରାଯାଇଥିଲା। ସେତେବେଳେ ଭାଜପା ବିରୋଧ ପ୍ରଦର୍ଶନ କରିଥିଲା କି? ଏବେ ସୋନିଆ ଏବଂ ରାହୁଲଙ୍କ ପାଇଁ କଂଗ୍ରେସ ଦଳ ଏଭଳି ବିରୋଧ ପ୍ରଦର୍ଶନ କରିବା ତାଙ୍କ ନିରାଶାକୁ ଦର୍ଶାଏ।

 

Share