Categories: ଜାତୀୟ

ଦିଲ୍ଲୀ ପରେ ଭୋପାଳରେ ନ୍ୟାଶନାଲ ହେରାଲ୍ଡର ଜମି ହେବ ସିଲ୍‌

ଭୋପାଳ,୪।୮: ନ୍ୟାଶନାଲ ହେରାଲ୍ଡ ମାମଲା କଂଗ୍ରେସର ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ଏହି ମାମଲା ପୂର୍ବରୁ କେବଳ ଗାନ୍ଧୀ ପରିବାର ସୀମିତ ଥିଲା। କିନ୍ତୁ ବର୍ତ୍ତମାନ ଆହୁରି ଅନେକ ଦିଗ ସାମ୍ନାକୁ ଆସିଛି। ଗୁରୁବାର ପୁଣି ଥରେ ଇଡି ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟରେ ପହଞ୍ଚି କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପସ୍ଥିତିରେ ଯାଞ୍ଚ କରିଛି। ଇତିମଧ୍ୟରେ ମଧ୍ୟପ୍ରଦେଶର ଭୋପାଳରେ ବି ନ୍ୟାଶନାଲ ହେରାଲ୍ଡର ଅନ୍ୟ ଏକ କାର୍ଯ୍ୟାଳୟରେ ଇଡି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ଶିବରାଜ ସରକାରରେ ମନ୍ତ୍ରୀ ଥିବା ଭୁପେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ଜମି ବ୍ୟବହାର ବଦଳାଇବା ଅଭିଯୋଗରେ ଭୋପାଳ ସ୍ଥିତ ନ୍ୟାସନାଲ ହେରାଲ୍ଡର ସମ୍ପତ୍ତିକୁ ସିଲ୍‌ କରାଯିବ ବୋଲି ନଗର ପ୍ରଶାସନ ଭୁପେନ୍ଦ୍ର ସିଂ କହିଛନ୍ତି। ଏହି ମାମଲା କୋର୍ଟରେ ଥିବାରୁ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିନାହିଁ। ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟରେ ବିଶାଲ ମେଗା ମାର୍ଟ ସମେତ ବିଭିନ୍ନ ବାଣିଜି୍ୟକ କାର୍ଯ୍ୟାଳୟ ରହିଛି। ଏଭଳି ପରିସ୍ଥିତିରେ ଯିଏ ନ୍ୟାଶନାଲ ହେରାଲ୍ଡ ବିଲ୍ଡିଂର ବ୍ୟବସାୟିକ ବ୍ୟବହାର କରିଛି, ସେମାନଙ୍କର ଯାଞ୍ଚ କରାଯିବ ଏବଂ ପରେ ସମ୍ପତ୍ତି ମଧ୍ୟ ସିଲ୍‌ କରାଯାଇପାରେ ବୋଲି ମନ୍ତ୍ରୀ ଭୂପେନ୍ଦ୍ର କହିଛନ୍ତି। ଏଥିସହ ସେ କହିଛନ୍ତି ଯେ, ଉଚ୍ଛପଦସ୍ଥ ଜଣେ ଅଧିକାରୀ ଏକ ମାସ ମଧ୍ୟରେ ଏହି ଘଟଣାର ଯାଞ୍ଚ କରି ତାଙ୍କୁ ବିସ୍ତୃତ ରିପୋର୍ଟ ଦେବେ। ଏହି ମାମଲାରେ ଯେକେହି ସମ୍ପୃକ୍ତ ଥାଆନ୍ତୁ ନା କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Share