Categories: ଜାତୀୟ

ଦେଶରେ ଦିନକୁ ନିର୍ମାଣ ହେଉଛି ହାରାହାରି ୭୬ କିମି ଏନ୍‌ଏଚ୍‌ ରାସ୍ତା

ନୂଆଦିଲ୍ଲୀ,୧୭।୧: ଚଳିତ ଜାନୁୟାରୀର ଗତ ସପ୍ତାହ ସୁଦ୍ଧା ହାଇଓ୍ବେ (ଏନ୍‌ଏଚ୍‌) ନିର୍ମାଣ କାର୍ଯ୍ୟ ରେକର୍ଡ ଛୁଇଁଛି। ଜାନୁୟାରୀ ୮ ତାରିଖ ସୁଦ୍ଧା ଦେଶରେ ଦିନକୁ ୭୬ କିମି ହାଇଓ୍ବେ ରାସ୍ତା ନିର୍ମାଣ ହୋଇଛି। ଏ ନେଇ ରବିବାର ସୂଚନା ଦେଇଛି ରାଜପଥ ମନ୍ତ୍ରଣାଳୟ। ସେହି ସପ୍ତାହରେ ପୂରା ଦେଶରେ ୫୩୪ କିମି ଏନ୍‌ଏଚ୍‌ ନିର୍ମାଣ କିମ୍ବା ରାସ୍ତା ସମ୍ପ୍ରସାରଣ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସାଧାରଣତଃ ଏହି ସମୟରେ ଅନୁକୂଳ ପାଗ ଯୋଗୁ ହାଇଓ୍ବେ ନିର୍ମାଣ କାର୍ଯ୍ୟ ଖୁବ ଜୋରରେ ଚାଲେ।

ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଅଫିସିଆଲ ସୂଚନା ଅନୁଯାୟୀ, ଗତବର୍ଷ ଏପ୍ରିଲ ଓ ୨୦୨୧ ଜାନୁୟାରୀ ୧୫ ତାରିଖ ମଧ୍ୟରେ ୮,୧୬୯ କିମି ଏନ୍‌ଏଚ୍‌ ରାସ୍ତା ନିର୍ମାଣ ହୋଇଛି। ଗତ ଆର୍ଥିକ ବର୍ଷ ସମାନ ସମୟ ଅବଧିରେ ୭,୫୭୩ ଏନ୍‌ଏଚ୍‌ ରାସ୍ତା ନିର୍ମାଣ କରାଯାଇଥିଲା। ସେତେବେଳେ ନିର୍ମାଣ କାର୍ଯ୍ୟର ସ୍ପିଡ୍‌ ଥିଲା ଦିନକୁ  ୨୬.୧୧ କିମି। ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୧୧ ହଜାର କିମି ଏନ୍‌ଏଚ୍‌ ରାସ୍ତା ନିର୍ମାଣ କରିବାକୁ ଟାର୍ଗେଟ ରଖାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share