Advertisement

ଜାତୀୟ ରାଜପଥ ଶୋଚନୀୟ: ଗାଡ଼ି ଚଳାଚଳ ବନ୍ଦ

ଦେବଗଡ଼,୧୫।୮(ଡି.ଏନ.ଏ.): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ କାଦୋପଡା ଗ୍ରାମ ଦେଇ ଯାଇଥିବା ରାଞ୍ଚି -ବିଜୟୱାଡା ୨୩ ନମ୍ବର ଜାତୀୟ ରାଜପଥ ଦୀର୍ଘ ଦିନ ଧରି ମରାମତି ଅଭାବରୁ ବ୍ୟବହାର ଉପଯୋଗୀ ହୋଇପାରୁ ନ ଥିବାବେଳେ ଗତ ଏକ ସପ୍ତାହ ଧରି ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡିଛି। ଫଳରେ ପ୍ରାୟ ଏକ ସପ୍ତାହ ଧରି ଉକ୍ତ ରାସ୍ତା ଦେଇ ଯାତ୍ରୀବାହୀ ଗାଡି ଚଳାଚଳ ବନ୍ଦ ହୋଇଛି l ଏଥି ଯୋଗୁଁ ଉକ୍ତ ଅଞ୍ଚଳର ଜନସାଧାରଣ ଦୈନନ୍ଦିନ କାର୍ଯ୍ୟରେ ବ୍ଲକ ମୁଖ୍ୟାଳୟ ହେଉ କି ସ୍ବାସ୍ଥ୍ୟ ସେବା ପାଇଁ ଡାକ୍ତରଖାନା ଆସିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ପକ୍ଷରେ ଶନିବାର କେତେକ ଭାରିଯାନ ରାଉରକେଲାରୁ ଆସୁଥିବାବେଳେ ରାସ୍ତା ମଝିରେ ଅଚଳ ହୋଇ ପଡ଼ିଥିଲା। ପ୍ରାୟ ଚାରୋଟି ଗାଡି ଉକ୍ତ ରାସ୍ତାରେ ଫସି ରହିଥିବାରୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଲଗାଣ ବର୍ଷା ଯୋଗୁ ଜାତୀୟ ରାଜପଥ ଏବେ କାଦୁଅ ପୋଖରୀ ପାଲଟି ଥିବାରୁ ଭାରିଯାନକୁ ମରାମତି କରିବା ମଧ୍ୟ ଅସମ୍ଭବ ହୋଇ ପଡିଛି l ଅଞ୍ଚଳବାସୀ ଏ ନେଇ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାରୁ ରବିବାର ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜାତୀୟ ରାଜପଥ କଡରେ ଥିବା କାଦୋପଡା ଗ୍ରାମବାସୀ ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଥିବା କାରଣରୁ କ୍ଷୋଭ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share