Categories: ଜାତୀୟ

ଚଳନ୍ତା ଯାତ୍ରୀବାହି ବସ୍‌ ଭିତରେ ପଶିଗଲା ୧୦୦ଫୁଟ୍‌ ଲମ୍ବ ପାଇପ

ପାଲି,୨।୧୨: ରାଜସ୍ଥାନର ପାଲି ଜିଲାର ଜୟପୁର-ଅହମଦାବାଦର ଜାତୀୟ ରାଜପଥ-୧୬୨ ନିକଟସ୍ଥ ସାଣ୍ଡେରାଓରେ ଏକ ଭୟାବହ ଦୁର୍ଘଟଣା ଘଟିଛି। ଚଳନ୍ତା ଯାତ୍ରୀବାହି ବସ୍‌ରେ ୧୦୦ଫୁଟ୍‌ ଲମ୍ବର ଏକ ପାଇପ୍‌ ପଶିଯିବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଉକ୍ତ ସ୍ଥାନରେ ବହୁ ଦିନରୁ ରାସ୍ତା ପାଶର୍‌ବରେ ଗ୍ୟାସ ପାଇପ ଲାଇନ ବିଛା ଯିବାର କାମ ଚାଲୁଥିଲା। ମଙ୍ଗଳବାର ହାଇଡ୍ରା ମେସିନ ଦ୍ବାରା ପାଇପ ଉଠାଯାଇ ଖୋଳା ଯାଇଥିବା ସ୍ଥାନରେ ପକା ଯାଉଥିଲା। ତେବେ ଏହି ସମୟରେ ମେସିନର ଭାରସାମ୍ୟ ବିଗିଡ଼ି ଯିବାରୁ ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହି ବସ୍‌ ଭିତରେ ଏହି ପାଇପ ପଶି ଯାଇଥିଲା। ପାଇପଟି ବସ୍‌ର ଗୋଟିଏ ପାଶର୍‌ବରେ ପଶି ଆରପାଶର୍‌ବରେ ବାହାରି ଯାଇଥିଲା। କେହି କିଛି ବୁଝିବା ଆଗରୁ ଜଣେ ମହିଳାଙ୍କ ମୁଣ୍ଡ ଶରୀରରୁ ଅଲଗା ହୋଇଥିବା ବେଳେ ଜଣେ ଯୁବକଙ୍କ ମୁଣ୍ଡ ଫାଟିଯାଇଥିଲା। ଏହାକୁ ଦେଖି ଅନ୍ୟ ଯାତ୍ରୀ କାନ୍ଦ ବୋବାଳି ଆରମ୍ଭ ହୋଇଯାଇଥିଲା। ଏହି ଦୃଶ୍ୟକୁ ଦେଖି ସ୍ଥାନୀୟ ଲୋକ ମଧ୍ୟ ସ୍ତବ୍ଧ ହୋଇଯାଇଥିଲେ। ଏହାପରେ ଏନେଇ ସ୍ଥାନୀୟ ପୋଲିସକୁ ଲୋକେ ଖବର ଦେବା ସହ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଆହତଙ୍କ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣା ଯୋଗୁ ରାସ୍ତାରେ କିଛି ସମୟ ପାଇଁ ଟ୍ରାଫିକ୍‌ ଜାମ୍‌ ସମସ୍ୟା ଦେଖାଦେଇଥିଲା।

 

Share