Advertisement

ଅମିତ ଶାହାଙ୍କୁ ବଞ୍ଚାଇବା ଲାଗି ଷଡଯନ୍ତ୍ର ରଚିଛି ଭାଜପା; ଠେଲାପେଲାକୁ ନେଇ ପ୍ରିୟଙ୍କାଙ୍କ ବଡ଼ ଅଭିଯୋଗ…

ନୂଆଦିଲ୍ଲୀ,୧୯।୧୨: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଜପା ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଉପରେ ଲଗାଯାଉଥିବା ଠେଲାପେଲା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏସବୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରକ୍ଷା କରିବା ଲାଗି ଷଡଯନ୍ତ୍ର ବୋଲି ସେ କହିଛନ୍ତି। ଏପରିକି ଭାଜପା ଏମ୍‌ପିମାନେ ଗୁଣ୍ଡା ଭଳି ରାଜ୍ୟ ସଭାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଧକ୍କା ମାରି ତଳେ ପକାଇଥିବା ସେ ପାଲଟା ଅଭିଯୋଗ ଆଣିଛନ୍ତି।

ପ୍ରିୟଙ୍କା ସଂସଦ ପରିସରରେ ଖବରଦାତାଙ୍କୁୁ କହିଛନ୍ତି, ରାହୁଲ ଆମ୍ବେଦକରଙ୍କ ଫଟୋ ଧରି ‘ଜୟ ଭୀମ’ ସ୍ଲୋଗାନ ଦେଇ ସଂସଦକୁ ଯାଉଥିଲେ। ତାଙ୍କୁ ସଂସଦ ଯିବାକୁ କିଏ ରୋକିଥିଲେ? ଆମେ କିଛିଦିନ ହେଲାଣି ବିରୋଧ କରିଆସୁଛୁ, ହେଲେ କାହାରିକୁ ରୋକି ନାହୁଁ। କେବଳ ଅମିତ ଶାହାଙ୍କୁ ରକ୍ଷା କରିବା ଲାଗି ଏଭଳି ଷଡଯନ୍ତ୍ର କରାଯାଇଛି ଯେ ରାହୁଲ କାହାକୁ ଧକ୍କା ମାରିଛନ୍ତି। ମୋ ଆଖି ସାମ୍ନାରେ ଖଡ୍‌ଗେ ଜିଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିଲେ। ଏହାପରେ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଜଣେ ଏମ୍‌ପିଙ୍କୁ ଧକ୍କା ମାରି ତାଙ୍କ ଉପରେ ପକାଇ ଦିଆଯାଇଥିବା ପ୍ରିୟଙ୍କା ଅଭିଯୋଗ ଆଣିଛନ୍ତି।

କେବଳ ଏତିକି ନୁହେଁ ପ୍ରିୟଙ୍କା ଭାଜପା ଏମ୍‌ପିଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯଦି ସେମାନେ ଆମ୍ବେଦକରଙ୍କ ସମ୍ମାନ କରନ୍ତି ତେବେ ‘ଜୟ ଭୀମ’ ସ୍ଲୋଗାନ ଦେଇ ଦେଖାନ୍ତୁ। ଯଦି ଦେଶକୁ କିଛି ଭ୍ରମ ଥିଲା ତେବେ ତାହା ଦୂର ହେବା ଉଚିତ। ହେଲେ ଏମାନଙ୍କର ଅସଲ ଚିନ୍ତାଧାରା ଅମିତ ଶାହାଙ୍କ ମୁହଁରୁ ବାହାରି ସାରିଛି ବୋଲି ସେ କହିଛନ୍ତି।

କହିରଖୁଛୁ, ସମ୍ବିଧାନ ନିର୍ମାତା ବି ଆର୍‌ ଆମ୍ବେଦକରଙ୍କ କଥିତ ଅପମାନ ପ୍ରସଙ୍ଗରେ ସଂସଦ ପରିସରରେ ବିରୋଧୀ ଏବଂ ଶାସକ ଏମ୍‌ପିଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁରେ ୨ ଭାଜପା ଏମ୍‌ପି ଆହତ ହୋଇଛନ୍ତି। ଏନେଇ ରାହୁଲଙ୍କୁ ଭାଜପା ଦୋଷ ଦେଉଥିବା ବେଳେ ସେ ଏହାକୁ ଏଡାଇ ଯାଇଛନ୍ତି। ତେବେ ଫୋନ ଯୋଗେ ଉଭୟ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହେବା ସହ ସ୍ବାସ୍ଥ୍ୟାବସ୍ଥ୍‌ା ନେଇ ପଚାରି ବୁଝିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share