Categories: ଖେଳ

କଳିଙ୍ଗରେ ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ୍ସ

ଭୁବନେଶ୍ୱର, ୧୪।୬
(ତପନ ସ୍ବାଇଁ)
ହକି ବିଶ୍ୱକପ ସମେତ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳତାର ସହ ସମ୍ପନ୍ନ ହୋଇଥିବା କଳିଙ୍ଗ ଷ୍ଟାଡିୟମରେ ଏବେ ହେବାକୁ ଯାଉଛି ୬୨ତମ ଜାତୀୟ ଆନ୍ତରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌। ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଉଦ୍ୟମରେ ଏହି ସମ୍ମାନଜନକ ପ୍ରତିଯୋଗିତା ଚଳିତ ମାସ ୧୫ରୁ ୧୯ ପର୍ଯ୍ୟନ୍ତ ଚାଲିବ। ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆର ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ ମହିଳା ଓ ପୁରୁଷ ବିଭାଗରେ ୧୦୦ ମିଟର, ୨୦୦ମି., ୪୦୦ମି., ୮୦୦ମି, ୧୫୦୦ମି, ୧୦୦୦୦ମିଟର ରେସ୍‌ ହେବ। ଏହା ବ୍ୟତୀତ ପୁରୁଷ ବିଭାଗରେ ୧୧୦ ମିଟର ଓ ମହିଳାରେ ୧୦୦ ମିଟର ହର୍ଡଲ୍ସ, ୪୦୦ ମିଟର ହର୍ଡଲ୍ସ, ୩୦୦୦ ମିଟର ଷ୍ଟିପ୍‌ଲ ଚେଜ୍‌, ହାଇଜମ୍ପ, ପୋଲ୍‌ ଭଲ୍ଟ, ଲଙ୍ଗଜମ୍ପ, ଟ୍ରିପଲ ଜମ୍ପ, ଶଟ୍‌ପୁଟ୍‌, ଡିସ୍‌କସ୍‌ ଥ୍ରୋ, ହାମର ଥ୍ରୋ, ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତା ମଧ୍ୟ ହେବ। ସେହିପରି ପୁରୁଷରେ ଡେକାଥଲନ, ମହିଳାରେ ହେପ୍ଟାଥଲନ, ୨୦ କିମି ଓ୍ବାକ୍‌, ୩୫ କିମି ଓ୍ବାକ୍‌ ରେସ୍‌, ୪x୧୦୦ ମିଟର ରିଲେ, ୪x୪୦୦ ମିଟର ରିଲେ ରେସ୍‌ରେ ମଧ୍ୟ ଦେଶର ନାମୀ ଆଥଲେଟ୍‌ମାନେ ଭାଗ୍ୟପରୀକ୍ଷା କରିବେ। ୪x୪୦୦ ମିଟରରେ ମିକ୍ସଡ ରିଲେ ରେସ୍‌ ମଧ୍ୟ ହେବା କାର୍ଯ୍ୟସୂଚୀ ରହିଛି। ରିଲେ ରେସ୍‌ ଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ପ୍ରତିଯୋଗିତା ଗୁଡ଼ିକ ପାଇଁ ଏଏଫ୍‌ଆଇ ପକ୍ଷରୁ ଏଣ୍ଟ୍ରି ଷ୍ଟାଣ୍ଡାର୍ଡ ଧାର୍ଯ୍ୟ କରାଯାଇଛି। ପ୍ରତିଯୋଗିତାରେ ଓଡ଼ିଶାରୁ ମୋଟ ୨୫ ଆଥଲେଟ୍‌ ଭାଗନେବେ। ସେମାନଙ୍କ ମଧ୍ୟରେ ୧୧ ମହିଳା ଆଥଲେଟ୍‌ ସାମିଲ। ସେମାନେ ହେଲେ ସୁଖି ବାସ୍କେ, ପୂର୍ଣ୍ଣିମା ହେମ୍ବ୍ରମ, ସାଲ୍‌ମି କିସ୍‌ପୋଟା, ବୋନିତା ଲାକ୍ରା, ମନିଷା ମେରେଲ, ଜଉନା ମୁର୍ମୁ, ଶ୍ରାବଣୀ ନନ୍ଦ, ପ୍ରଜ୍ଞା ପ୍ରଶାନ୍ତ ସାହୁ, ଦିବ୍ୟା ସାନ୍ଧିଲ୍ୟା, ସୁସ୍ମିତା ଟିଗା ଓ ସବିତା ଟପ୍ପୋ। ସେହିପରି ଭାଗ ନେବାକୁ ଯାଉଥିବା ପୁରୁଷ ପ୍ରତିଯୋଗୀମାନେ ହେଲେ ହରି ବେହେରା, ଲାଲୁ ପ୍ରସାଦ ଭୋଇ, କୃଷ୍ଣଚନ୍ଦ୍ର, ଅଭିଷେକ ଦଳବେହେରା, ଅଶୋକ ଦଣ୍ଡସେନା, ଆନନ୍ଦ କୁମାର ଦ୍ୱିବେଦୀ, ଦଣ୍ଡପତି ମୂର୍ତ୍ତୀ ଜୟରାମ, କିଶୋର କୁମାର ଜେନା, ଅମିୟ କୁମାର ମଲିକ, ସ୍ବାଧୀନ କୁମାର ମାଝି, ବିକ୍ରାନ୍ତ ମଲିକ, ପଙ୍କଜ ମଣ୍ଡଳ, ଅଭିଜିତ ସାହୁ ଓ ଅବିନାଂଶୁ ସାହୁ।

Share