ବ୍ରହ୍ମପୁର ଅଫିସ,୨୧ା୩: ଉତ୍ତର ପ୍ରଦେଶର ବରେଲିଠାରେ ଜାତୀୟ ହ୍ୟାଣ୍ଡବଲ୍ ଜୁନିୟର ବାଳିକା ପ୍ରତିଯୋଗିତା ୨୧ ରୁ ୨୫ତାରିଖ ଯାଏ ଅନୁଷ୍ଠିତ ହେବ। ଏଥି ନିମନ୍ତେ ସୋମବାର ୪ଜଣ ପ୍ରତିଯୋଗୀ ବରେଲି ଅଭିମୁଖେ ଯାତ୍ରା କରିଛନ୍ତି। ସେମାନେ ହେଲେ ସଞ୍ଜନା ସ୍ବାଇଁ ,ଲିପିକା ଗୌଡ଼, ସ୍ବାଗତିକା ପାତ୍ର ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ। ଏମାନେ ଗତ ଜାନୁୟାରୀରେ ପୁରୀଠାରେ ଆୟୋଜିତ ହୋଇଥିବା ଜୁନିୟର ଆନ୍ତଃ ଜିଲା ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସଫଳତା ପାଇଥିଲେ। ପ୍ରତିଯୋଗୀଙ୍କ ସହ ଟିମ୍ ମ୍ୟାନେଜର ଭାବେ ସସ୍ମିତା ମହାନ୍ତି ଓ କୋଚ ଭାବେ ଅନ୍ତର୍ଜାତୀୟ ଖେଳାଳି ସନ୍ଦୀପ କୁମାର ପାତ୍ର ବରେଲି ଅଭିମୁଖେ ଯାତ୍ରା କରିଛନ୍ତି।
ସୂଚନାଯୋଗ୍ୟ, ପ୍ରତିଯୋଗୀମାନେ ନିୟମିତ ଭାବେ ଜାତୀୟ କୋଚ୍ ପ୍ରଶାନ୍ତ ରଥଙ୍କଠାରୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆଠାରେ ତାଲିମ ଗ୍ରହଣ କରି ଆସୁଥିଲେ। ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସ୍ଥାନ ପାଇବା ପରେ ଜିଲା ହ୍ୟାଣ୍ଡବଲ ସଂଘ ପକ୍ଷରୁ ସଭାପତି ବିକ୍ରମ କୁମାର ପଣ୍ଡା, ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ, କୋଷାଧ୍ୟକ୍ଷ ଡାକ୍ତର ସିଏଚ୍ ମନୋଜ କୁମାର ପାତ୍ର ଓ ଅଶୋକ କୁମାର ଶୁକ୍ଳାଙ୍କ ସମେତ ବହୁ କର୍ମକର୍ତ୍ତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।