Categories: ଖେଳ

ଆଜିଠୁ ରାଉରକେଲାରେ ଜାତୀୟ ସବ୍‌ଜୁନିୟର ପୁରୁଷ ହକି

ଭୁବନେଶ୍ୱର, ୧୮।୫ (କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଜାତୀୟ ସବ୍‌ଜୁନିୟର ପୁରୁଷ ହକିର ୧୩ତମ ସଂସ୍କରଣ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ୧୧ ଦିନିଆ ଟୁର୍ନାମେଣ୍ଟରେ ମୋଟ ୨୮ଟି ଦଳ ଅଂଶଗ୍ରହଣ କରିବେ। ନବନିର୍ମିତ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦେଶର ଯୁବ ଖେଳାଳିମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇବେ। ଚଳିତ ମାସ ୨୮ରେ ପ୍ରତିଯୋଗିତାର ଫାଇନାଲ ଅନୁଷ୍ଠିତ ହେବ।
ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ଦଳଗୁଡ଼ିକୁ ୮ଟି ପୁଲ୍‌ରେ ବିଭକ୍ତ କରାଯାଇଛି। ପୁଲ୍‌ ‘ଏ’ରେ ଉତ୍ତର ପ୍ରଦେଶ, କର୍ନାଟକ, କେରଳ, ପୁଲ୍‌ ‘ବି’ରେ ଝାଡ଼ଖଣ୍ଡ, ବେଙ୍ଗଲ, ହିମାଚଳ ପ୍ରଦେଶ, ପୁଲ୍‌ ‘ସି’ରେ ଓଡ଼ିଶା, ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଏବଂ ପୁଲ୍‌ ‘ଡି’ରେ ହରିୟାଣା, ଗୋଆ ଓ ଛତିଶଗଡ଼ ସ୍ଥାନ ପାଇଛି। ସେହିପରି ପୁଲ୍‌ ‘ଇ’ରେ ପଞ୍ଜାବ, ଦିଲ୍ଲୀ, ଆସାମ, ତ୍ରିପୁରା, ପୁଲ୍‌ ‘ଏଫ’ରେ ଦାଦ୍ରା ଆଣ୍ଡ ନଗର ହାଭେଳି, ଡାମନ ଆଣ୍ଡ ଡିଉ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ପୁଡୁଚେରୀ, ପୁଲ୍‌ ‘ଜି’ରେ ବିହାର, ମଧ୍ୟପ୍ରଦେଶ, ମିଜୋରାମ, ତେଲଙ୍ଗାନା ଏବଂ ପୁଲ୍‌ ‘ଏଚ୍‌’ରେ ଚଣ୍ଡିଗଡ଼, ଅରୁଣାଚଳ, ଗୁଜରାଟ ଓ ରାଜସ୍ଥାନ ସ୍ଥାନ ପାଇଛି। ପୂର୍ବ ସଂସ୍କରଣରେ ଉତ୍ତର ପ୍ରଦେଶ ଚାମ୍ପିୟନ ଓ ଝାଡ଼ଖଣ୍ଡ ରନରଅପ୍‌ ହୋଇଥିଲା। ତୃତୀୟ ସ୍ଥାନରେ ରହି ଓଡ଼ିଶା ବ୍ରୋଞ୍ଜ ପଦକ ପାଇଥିଲା। ଲିଗ୍‌ ପର୍ଯ୍ୟାୟ ପରେ ମେ’ ୨୫ରୁ କ୍ୱାର୍ଟର ଫାଇନାଲ, ୨୭ରେ ସେମିଫାଇନାଲ ଏବଂ ୨୮ରେ ଫାଇନାଲ ଅନୁଷ୍ଠିତ ହେବ।

ଆଶିଷ ଓଡ଼ିଶା ଦଳ ଅଧିନାୟକ

ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବାକୁ ଯାଉଥିବା ଜାତୀୟ ସବ୍‌ନୁଜିୟର ପୁରୁଷ ହକି ପାଇଁ ବୁଧବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ୧୫ ବର୍ଷୀୟ ଆଶିଷ କୁମାର ଟପ୍ପୋ ଘରୋଇ ଦଳର ନେତୃତ୍ୱ ନେବେ। ବିଲକାନ ଓରାମଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆ ଯାଇଛି। ଅଭିମନ୍ୟୁ ଗୌଡ଼ା ଓ ରୋନିତ ରାଜ ଖାଖା ଗୋଲକିପର ମନୋନୀତ ହୋଇଛନ୍ତି। ଓଡ଼ିଶା ଦଳରେ ନାଭାଲ ଟାଟା ହକି ଏଚ୍‌ପିସିର କେତେକ ଖେଳାଳି ସାମିଲ ଅଛନ୍ତି।
”ବାଳକମାନେ ପଡ଼ିଆରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବ୍ୟଗ୍ର। ନିକଟରେ ଶେଷ ହୋଇଥିବା ଜାତୀୟ ସବ୍‌ଜୁନିୟର ମହିଳା ହକି ଅବସରରେ ବହୁ ସଂଖ୍ୟାରେ ଦର୍ଶକ ଷ୍ଟାଡିୟମକୁ ମ୍ୟାଚ ଦେଖିବାକୁ ଆସିଥିଲେ। ଆଗାମୀ ଟୁର୍ନାମେଣ୍ଟ ସମୟରେ ମଧ୍ୟ ସମାନ ଉତ୍ସାହ ଦେଖିବାକୁ ମିଳିବା ଆଶା ରହିଛି। ବହୁ ସଂଖ୍ୟାରେ ଦର୍ଶକଙ୍କ ଉପସ୍ଥିତିରେ ଯୁବ ପ୍ରତିଭାମାନେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସୁଯୋଗ ପାଇବେ। ସମସ୍ତ ଚ୍ୟାଲେଞ୍ଜର ମୁକାବିଲା କରି ଆମେ ଆଗାମୀ ପ୍ରତିଯୋଗିତାରେ ପ୍ରଦର୍ଶନର ଛାପ ଛାଡ଼ିବାକୁ ଆଶାବାଦୀ“ ବୋଲି କୋଚ୍‌ ବି.ଜେ. କାରିଆପ୍ପା ପ୍ରକାଶ କରିଛନ୍ତି। ଏକ ବିଶ୍ୱକପ ଭେନ୍ୟୁରେ ଖେଳିବାକୁ ଯାଉଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି ଅଧିନାୟକ ଆଶିଷ କୁମାର ଟପ୍ପୋ। ପ୍ରତିଯୋଗିତା ପାଇଁ ଆମେ କଠିନ ପରିଶ୍ରମ କରିଛୁ। ତେଣୁ ଭଲ ପ୍ରଦର୍ଶନର ଆଶା ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

ଓଡ଼ିଶା ଦଳ

ଗୋଲକିପର୍ସ: ରୋନିତ ଖାଖା, ଅଭିମନ୍ୟୁ ଗୋଡ଼ା।
ଡିପ୍‌ ଡିଫେଣ୍ଡର୍ସ: ପ୍ରଦୀପ ମଣ୍ଡଳ, ରୋନିତ କୁଲୁ, ସଲମନ ଟପ୍ପୋ।
ଫ୍ଲାଙ୍କ ଡିଫେଣ୍ଡର: ବିଲକାନ ଓରାମ।
ଡିଫେନ୍ସିଭ ମିଡ୍‌ଫିଲ୍ଡର୍ସ: ସୁଦର୍ଶନ ଗୌଡ଼, ଅମରଜିତ ସିଂ, ସୁରେଶ ଶର୍ମା।
ଆଟାକିଂ ମିଡ୍‌ଫିଲ୍ଡର୍ସ: ସମିର ବାରଓ୍ବା, ଆଶିଷ କୁମାର ଟପ୍ପୋ, ସ୍ବାଧୀନ ଲୁଗୁନ।
ଲେଫ୍ଟ ଷ୍ଟ୍ରାଇକର୍ସ: ୟୋଜିତ ମିଞ୍ଜ, ନାନଓ୍ବାର ଦେବନାଥ।
ସେଣ୍ଟର ଷ୍ଟ୍ରାଇକର: ରୋନିତ ସିଂ
ରାଇଟ୍‌ ଷ୍ଟ୍ରାଇକର୍ସ: ଦୀପକ ପ୍ରଧାନ, ବିଦ୍ୟାନନ୍ଦ ସିଂ।

Share