Categories: ଜାତୀୟ

ଜାତୀୟ ସ୍ତରର ଖୋ ଖୋ ଖେଳାଳିଙ୍କୁ ବଳାତ୍କାର ପରେ ହତ୍ୟା

ବିଜନୋର,୧୨।୯: ଉତ୍ତରପ୍ରଦେଶର ଜଣେ ୨୪ ବର୍ଷୀୟା ଜାତୀୟ ସ୍ତରର ଖୋ ଖୋ ଖେଳାଳିଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିଜନୋରସ୍ଥିତ ଘର ଠାରୁ ୧୦୦ ମିଟର ଦୂର ରେଲଓ୍ବେ ଟ୍ରାକ ନିକଟରୁ ମିଳିଛି ପୀଡ଼ିତାଙ୍କ ମୃତଦେହ। ମୃତଦେହରେ କୌଣସି ପୋଷାକ ନ ଥିବା ବେଳେ ପୀଡ଼ିତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି। ତାଙ୍କ ମୁହଁ ଓ ବେକରେ ଅନେକ କ୍ଷତ ଚିହ୍ନ ରହିଥିବା ପୀଡ଼ିତାଙ୍କ ପରିବାର ବର୍ଗ କହିଛନ୍ତି।

ପୀଡ଼ିତା ଗତ ୫ ବର୍ଷରେ ଉତ୍ତର ଭାରତ ଦୁଇଟି ବଡ଼ ରାଜ୍ୟ ପାଇଁ ଜତୀୟ ସ୍ତରର ଟୁର୍ନାମେଣ୍ଟରେ ପ୍ରତିନିଧିତ୍ୱ କରିଥିଲେ। ଫିଜିକାଲ ଏଜୁକେଶନ ପଢ଼ୁଥିବା ପୀଡ଼ିତା କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ଏକ ସରକାରୀ ସ୍କୁଲରେ। ଗତ ଅପ୍ରିଲରେ ମହାମାରୀ ଲାଗି ତାଙ୍କ ଚାକିରି ଚାଲି ଯାଇଥିଲା। ଗତ ଶୁକ୍ରବାର ସେ ଏକ ବେସରକାରୀ ସ୍କୁଲରେ ଇଣ୍ଟରଭ୍ୟୁ ପାଇଁ ଯାଇଥିଲେ। କିନ୍ତୁ ଫେରିବାରେ ବିଳମ୍ବ ହେବାରୁ ଝିଅକୁ ଖୋଜାଖୋଜି କରିଥିଲେ ପରିବାର ଲୋକେ। ରେଲଓ୍ବେ ଟ୍ରାକ ପାଖରୁ ମିଳିଥିଲା ଝିଅର ମୃତଦେହ। ପରିବାର ଲୋକେ ଏ ନେଇ ଅଭିଯୋଗ କରିବାକୁ ପହଞ୍ଚିଥିଲେ ଥାନାରେ। ମାତ୍ର ଅପରାଧ ଘଟିଥିବା ସ୍ଥାନ ଥାନା ପରିସରରେ ଆସୁ ନ ଥିବା ଦର୍ଶାଇ ପୋଲିସ ଏଫ୍‌ଆଇଆର ରଖିବାକୁ ମନା କରି ଦେଇଥିଲା। ସ୍ଥାନୀୟ ବିଏସ୍‌ପି ନେତାଙ୍କ ହସ୍ତକ୍ଷେପ ପରେ ସରକାରୀ ରେଲଓ୍ବେ ପୋଲିସ (ଜିଆର୍‌ପି) ମାମଲା ରୁଜୁ କରି ତଦନ୍ତ ଚଲାଇଛି।

ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟା ଛଡ଼ା ପୀଡ଼ିତାଙ୍କ ସହ ଅନ୍ୟ କୌଣସି ଅପରାଧ ହୋଇ ନ ଥିବା ଦର୍ଶାଯାଇଛି। କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟକୁ ବିଭ୍ରାନ୍ତିକର କହିଛନ୍ତି ମହିଳାଙ୍କ ପରିବାର ଲୋକେ। ପୀଡ଼ିତାଙ୍କ ଭଉଣୀ କହିଛନ୍ତି, ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ସେଥିରେ କୌଣସି ସନ୍ଦେହ ନାହିଁ। ତାଙ୍କ ମୃତଦେହରେ ଥିବା କ୍ଷତ ଚିହ୍ନକୁ ଦେଖିଲେ ବଳାତ୍କାର ହୋଇଥିବା ଜଣାପଡ଼ୁଛି। ଆଉ ଏହି ଅପରାଧରେ ଅତିକମ୍‌ରେ ଦୁଇ ଜଣ ସମ୍ପୃକ୍ତ ଅଛନ୍ତି। କାରଣ ମୋ ଭଉଣୀ ଜଣେ କ୍ରୀଡ଼ାବିତ୍‌ ଥିଲା। ଜଣଙ୍କ ପାଇଁ ତାଙ୍କୁ ହରାଇବା ସହଜ ନୁହେଁ।

Share