‘ଉତ୍ସାହ ବଢ଼ାଇଛି ଜାତୀୟସ୍ତରର ଟୁର୍ନାମେଣ୍ଟ’

ତାଳଚେର/ଅନୁଗୋଳ ଅଫିସ, ୯।୧୧: ଢେଙ୍କାନାଳ ଷ୍ଟାଡିୟମରେ ଗତ ୩ ତାରିଖରେ ଉଦ୍‌ଘାଟିତ ହୋଇଥିବା ବାଜି ରାଉତ କପ୍‌ ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ପ୍ରତିଯୋଗିତାର ଫାଇନାଲ ମ୍ୟାଚ ତାଳଚେରସ୍ଥିତ ଏମ୍‌ସିଏଲ୍‌ର ବ୍ଲାକ ଡାଇମଣ୍ଡ ଷ୍ଟାଡିୟମରେ ଖେଳାଯାଇଥିବା ବେଳେ ହଜାର ହଜାର ଦର୍ଶକ ଉପସ୍ଥିତ ରହି ଖେଳ ଉପଭୋଗ କରିଥିଲେ। ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ ସହଯୋଗରେ ତଥା ଆମେ ଓଡ଼ିଆ ଫାଉଣ୍ଡେଶନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଜାତୀୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଯୁବବର୍ଗଙ୍କୁ ନୂଆ ଉତ୍ସାହ ଦେବା ସହ ସେମାନଙ୍କ ମଧ୍ୟରେ ଖେଳୁଆଡ ମନୋବୃତ୍ତି ବଢାଇଛି। ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ମାଟିରେ ଦେଶର ସର୍ବକନିଷ୍ଠ ସ୍ବାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ନଁାରେ ଏହି ଜାତୀୟସ୍ତରୀୟ ଟୁର୍ନାମେଣ୍ଟର ଆୟୋଜନ ବହୁତ ଖୁସି ଦେଇଛି। ପ୍ରଥମ ଥର ପାଇଁ ଆୟୋଜିତ ଏହି ଜାତୀୟସ୍ତରର ପ୍ରତିଯୋଗିତା ଢେଙ୍କାନାଳ, ଅନୁଗୋଳ ଓ ତାଳଚେର ଅଞ୍ଚଳର ମର୍ଯ୍ୟାଦା ବଢାଇବା ସହ ଯୁବବର୍ଗଙ୍କୁ ଫୁଟବଲ ଖେଳିବା ପାଇଁ ପ୍ରେରିତ କରିଥିବା କେନ୍ଦ୍ରମନ୍ତ୍ରୀ କହିଥିଲେ। ଏମ୍‌ସିଏଲ୍‌ର ଏହି ବ୍ଲାକ୍‌ ଡାଇମଣ୍ଡ ଷ୍ଟାଡିୟମରେ ପ୍ରାୟ ୨୫ ବର୍ଷ ପରେ ଜାତୀୟସ୍ତରୀୟ ମ୍ୟାଚ ଆୟୋଜନ ହୋଇଥିବାରୁ ଏହାକୁ ଦେଖିବାକୁ ଜିଲାର କୋଣ ଅନୁକୋଣରୁ ଯୁବପିଢ଼ି, ଛାତ୍ରୀଛାତ୍ର, କ୍ରୀଡ଼ାପ୍ରେମୀମାନେ ପହଞ୍ଚିଥିଲେ। ଫଳରେ ଦର୍ଶକଙ୍କ ଗହଳିରେ ଷ୍ଟାଡିୟମ ସମ୍ପର୍ଣ୍ଣ ଭରିଯାଇଥିଲା।
ଟୁର୍ନାମେଣ୍ଟକୁ ସଫଳ ଭାବେ ପରିଚାଳନା କରିଥିବାରୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଆୟୋଜକ ଆମେ ଓଡ଼ିଆ ଫାଉଣ୍ଡେଶନ ଟ୍ରଷ୍ଟର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାସହ ଏଥିରେ ସହଯୋଗୀ ହୋଇଥିବା ସର୍ବଭାରତୀୟ ଫୁଟବଲ ମହାସଂଘ, ଓଡ଼ିଶା ଫୁଟବଲ ସଂଘ, ଅନୁଗୋଳ ଓ ଢେଙ୍କାନାଳର ଜିଲା ପ୍ରଶାସନ, ଜିଲା ଆଥଲେଟିକ୍‌ ଆସୋସିଏଶନ, ତାଳଚେରର ସବ୍‌ଡିଭିଜନାଲ ଆଥଲେଟିକ୍‌ ଆସୋସିଏଶନ, ସ୍ବେଚ୍ଛାସେବୀଙ୍କୁ କେନ୍ଦ୍ରମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ। ମ୍ୟାଚ ଆୟୋଜନ କରିଥିବା ଆମେ ଓଡ଼ିଆ ଫାଉଣ୍ଡେଶନ ଟ୍ରଷ୍ଟ ସମ୍ପାଦକ ସଂଗ୍ରାମ ରାଉତ ଓ ଅନୁଗୋଳ ଜିଲା କ୍ରିକେଟ ଆସୋସିଏଶନ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ବରିଷ୍ଠ ଭାଜପା ନେତା କାଳନ୍ଦୀ ସାମଲ, ସଞ୍ଜୀବ ସାହୁ, ଉପସ୍ଥାପିକା ଭାବେ ଶୋଭନା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ଓ ଅଭିନେତା ସବ୍ୟସାଚୀ ଖେଳାଳି, ଦର୍ଶକଙ୍କୁ ଉତ୍ସାହିତ କରିବାକୁ ଷ୍ଟାଡିମୟରେ ଉପସ୍ଥିତ ଥିଲେ। ଏହି ଅବସରରେ ମ୍ୟାଚ କମିଶନର ଜେ.ପି. ସିଂ, ରେଫରି ସୁନନ୍ଦ ଘୋଷ, ଓଡ଼ିଶା ଫୁଟବଲ ଆସୋସିଏଶନର ମୁଖ୍ୟ ରେଫରି ଦୁର୍ଗାମାଧବ ନାୟକଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ। ସେହିପରି ମ୍ୟାଚ ପରିଚାଳନା କରିଥିବା ଶ୍ରୀକାନ୍ତ ବହିଦାର, ସୁବ୍ରତ ପୁରୋହିତ, ସୋମନାଥ ବାନାର୍ଜୀ, ତୁମୁଲି ଜୟସିଂହ, ମନୋଜ କୁମାର ସାହୁ , ନିଶାନ୍ତ ବେଙ୍ଗରା, ନିପେନ ହଲଦେବ, ରୋଜିତ ମିତେଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।