୨୬ ବର୍ଷ ପରେ ଜାତୀୟସ୍ତରୀୟ ମ୍ୟାଚ

ଅନୁଗୋଳ ଅଫିସ, ୫ା୧୧: ଦୀର୍ଘ ୨୬ ବର୍ଷ ପରେ ଅନୁଗୋଳ ଦେଖିଛି ଜାତୀୟସ୍ତରୀୟ ମ୍ୟାଚ। ସହରର କଦମ ପଡ଼ିଆରେ ବାଜି ରାଉତ କପ୍‌ ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟର ୩ କ୍ୱାର୍ଟର ଫାଇନାଲ ମ୍ୟାଚ ଦେଖିବାକୁ ଶୁକ୍ରବାର ଖେଳପ୍ରେମୀଙ୍କ ପ୍ରବଳ ଭିଡ଼ ଲାଗିଥିଲା। ଅନେକ ବିଦେଶୀ ଖେଳାଳି ଆସିଥିବାରୁ ସେମାନଙ୍କ ଖେଳ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରିଯାଇଥିଲା। ରବିବାର ଏଠାରେ ୨ଟି ସେମିଫାଇନାଲ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ଦର୍ଶକଙ୍କ ମଧ୍ୟରେ ଅଧିକ ଉତ୍କଣ୍ଠା ଥିବା ବାରିହୋଇପଡ଼ିଛି।
ଅନୁଗୋଳରେ ପୂର୍ବରୁ ୧୯୯୪ ମସିହାରେ ସନ୍ତୋଷ ଟ୍ରଫି ଫୁଟ୍‌ବଲ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ମ୍ୟାଚ୍‌ରେ ତ୍ରିପୁରା, ଆଣ୍ଡାମାନ, ଆସାମର ଖେଳାଳିଙ୍କୁ ଅନୁଗୋଳବାସୀ ଦେଖିଥିଲେ। ସେହିପରି ୧୯୯୬ରେ କଦମ ପଡ଼ିଆରେ ସର୍ବଭାରତୀୟ କଳିଙ୍ଗ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା। ଏଥିରେ କୋଲକାତା ଓ ତାମିଲନାଡ଼ୁ ଟିମ୍‌ର ପେସାଦାର ଖେଳାଳିମାନଙ୍କୁ ଦେଖିବାକୁ ମିଳିଥିଲା। ହେଲେ ଏହାପରଠାରୁ ଆଉ ଜାତୀୟସ୍ତରୀୟ ମ୍ୟାଚ ଆୟୋଜିତ ହୋଇ ନ ଥିଲା। ତେଣୁ ସର୍ବଭାରତୀୟ ଫୁଟ୍‌ବଲ ସଂଘ ସହଯୋଗରେ ତଥା ଆମେ ଓଡ଼ିଆ ଫାଉଣ୍ଡେଶନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବାଜି ରାଉତ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଦେଶର ୬ଟି ଛାମୁଆ ଦଳ ମଧ୍ୟରେ ମ୍ୟାଚ ଖେଳାଯାଉଥିବାରୁ ଶୁକ୍ରବାର କଦମ ପଡ଼ିଆ ଚର୍ତୁପାର୍ଶ୍ୱରେ ଦର୍ଶକଙ୍କ ସଂଖ୍ୟା ବେଶ୍‌ ବଢ଼ିଯାଇଥିଲା। ସହରବାସୀ, ଫୁଟବଲପ୍ରେମୀ, ଛାତ୍ରୀଛାତ୍ରମାନେ ଖରାରେ ନିଜେ ସିଝିଯାଉଥିଲେ ମଧ୍ୟ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ସେମାନେ ଆଦୌ ଭୁଲି ନ ଥିଲେ। ଗୋଲ ପୋଷ୍ଟ ପାଖକୁ ବଲ୍‌ ଯିବାମାତ୍ରେ ଦର୍ଶକମାନେ ଚେୟାରରୁ ଉଠି ପଡ଼ୁଥିଲେ। ଏ ନେଇ ଜିଲାର ପୂର୍ବତନ ଫୁଟବଲ ଖେଳାଳି ତଥା ଅନୁଗୋଳ ବାଜି ରାଉତ କପ୍‌ କମିଟି ସଭାପତି ବସନ୍ତ ଦାସ କହିଛନ୍ତି, ଦେଶର ବଛା ବଛା କ୍ଲବର ପେସାଦାର ଖେଳାଳିମାନେ ଏହି ମ୍ୟାଚ ଖେଳିଥିବାରୁ ସେମାନଙ୍କ ଠାରୁ ଅନୁଗୋଳର ଖେଳାଳି ଅନେକ କିଛି କୌଶଳ ଶିଖି ପାରିଛନ୍ତି। ସେହିପରି ପ୍ରତିଯୋଗିତା ପରେ ବିଦେଶୀ ଖେଳାଳିମାନଙ୍କ ସହ ସେଲ୍‌ଫି ନେବାକୁ ଓ ସେମାନଙ୍କଠାରୁ ଅଟୋଗ୍ରାଫ୍‌ ନେବାକୁ ଯୁବିପିଢ଼ିଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା। ଆସନ୍ତା ରବିବାର କଦମ ପଡ଼ିଆରେ ମୁ୍‌ମ୍ବାଇ ଏଫ୍‌ସି ଓ ଚର୍ଚ୍ଚିଲ ବ୍ରଦର୍ସ ଗୋଆ ମଧ୍ୟରେ ପ୍ରଥମ ସେମିଫାଇନାଲ ଏବଂ ଶ୍ରୀନିଧି ଡେକାନ୍‌ ଏଫ୍‌ସି ତେଲଙ୍ଗାନା ଓ ରାଜସ୍ଥାନ ୟୁନାଇଟେଡ଼୍‌ ଏଫ୍‌ସି ଦଳ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଏହି କ୍ୱାର୍ଟରଫାଇନାଲ ମ୍ୟାଚ୍‌ ବେଳେ ଅନୁଗୋଳ ଅତିରିକ୍ତ ଜିଲାପାଳ(ରାଜସ୍ବ) ରଜନୀକାନ୍ତ ସ୍ବାଇଁ, ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଜିଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ, ଅନୁଗୋଳ ଥାନା ଅଧିକାରୀ ପ୍ରଭାତ କୁମାର ତ୍ରିପାଠୀ, ଅନୁଗୋଳ ପୌର ଉପାଧ୍ୟକ୍ଷା ଅନୁପମା ସାହୁ, ଅନୁଗୋଳ ଜିଲା କ୍ରିକେଟ୍‌ ସଂଘ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ରବିବାର ସର୍ବଭାରତୀୟ ଫୁଟବଲ ସଂଘ (ଏଆଇଏଫ୍‌ଏଫ୍‌) ସଭାପତି କଲ୍ୟାଣ ଚୌବେ ପାଲଲହଡ଼ା ଷ୍ଟାଡିୟମଠାରେ ଫୁଟବଲ କ୍ଲବର ସଦସ୍ୟଙ୍କ ସହ ଭାବ ବିନିମୟ କରିବେ। ଏଥିସହ ଫୁଟବଲ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି।