Categories: ଖେଳ

ଚିତ୍ରଭେଲ, ଅବିନାଶ, ପାରୁଲଙ୍କ ଜାତୀୟ ରେକର୍ଡ

ନୂଆଦିଲ୍ଲୀ, ୮ା୫ (ପି.ଟି.): ବିଶ୍ୱ ଆଥ୍‌ଲେଟିକ୍ସ ଦିବସରେ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି ଟ୍ରିପଲ ଜମ୍ପର ପ୍ରବୀଣ ଚିତ୍ରଭେଲ, ୫୦୦୦ ମିଟର ଧାବକ ଓ ଧାବିକା ଅବିନାଶ ସାବଲେ ଏବଂ ପାରୁଲ ଚୌଧାରୀ। କ୍ୟୁବାରେ ପ୍ରବୀଣ ଜାତୀୟ ରେକର୍ଡ ଭାଙ୍ଗିବା ସହିତ ୨୦୨୩ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ଲସ୍‌ ଆଞ୍ଜେଲ୍ସ ଆଥ୍‌ଲେଟିକ୍‌ ମିଟ୍‌ରେ ୫୦୦୦ ମିଟର ଦୌଡ଼ରେ ଯଥାକ୍ରମେ ପୁରୁଷ ଓ ମହିଳା ବର୍ଗରେ ଅବିନାଶ ଓ ପାରୁଲ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି।
ଚିତ୍ରଭେଲ ୧୭.୩୭ ମିଟର ଉଚ୍ଚ ଡେଇଁବା ସହିତ ରଞ୍ଜିତ୍‌ ମାହେଶ୍ୱରୀଙ୍କ ନାମରେ ଥିବା ୨୦୧୬ ମସିହାର ରେକର୍ଡ ଭାଙ୍ଗିଛନ୍ତି। ଶନିବାର କ୍ୟୁବାର ହାଭାନାରେ ଭି ପୁରେବା କନଫ୍ରଣ୍ଟେଶନରେ କାଟେଗୋରି ଏଫ୍‌ ଇଭେଣ୍ଟରେ ୨୧ ବର୍ଷୀୟ ଚିତ୍ରଭେଲ ୧୭.୩୭ ମିଟର ଜମ୍ପ୍‌ ସହିତ ପୋଡିୟମ ଫିନିଶ କରିଥିଲେ। ଏହାସହିତ ୨୦୨୩ ବୁଦାପେଷ୍ଟ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ ପାଇଁ ରହିଥିବା ୧୭.୨୦ର ମାର୍କ ଅତିକ୍ରମ କରିଛନ୍ତି। ଏହାପୂର୍ବରୁ ଚିତ୍ରଭେଲଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୧୭.୧୮ ମିଟର ରହିଥିଲା। ଚିତ୍ରଭେଲ ବର୍ତ୍ତମାନ କୋଚ୍‌ ୟୋଆନ୍ଦି ବେଟାଞ୍ଜୋସଙ୍କ ଅଧୀନରେ କ୍ୟୁବାରେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ଲସ୍‌ ଆଞ୍ଜେଲ୍ସ ଆଥଲେଟିକ୍‌ ମିଟ୍‌ରେ ୫୦୦୦ ମିଟର ଦୌଡ଼ରେ ଅବିନାଶ ୧୩.୧୯.୩୦ ମିନିଟ୍‌ର ସମୟ ନେବା ସହିତ ନିଜ ଜାତୀୟ ରେକର୍ଡ ଭାଙ୍ଗିଥିଲେ। ପୂର୍ବରୁ ୧୩.୨୫.୬୫ ମିନିଟ୍‌ର ଜାତୀୟ ରେକର୍ଡ ସାବଲେଙ୍କ ନାମରେ ଥିଲା। ଏହି ଦୌଡ଼ରେ ସେ ୧୨ତମ ସ୍ଥାନରେ ରେସ୍‌ ସମାପ୍ତ କରିଥିଲେ। ଅନ୍ୟପକ୍ଷରେ ୧୩ ବର୍ଷର ପୁରୁଣା ଜାତୀୟ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି ପାରୁଲ। ନବମ ସ୍ଥାନରେ ରେସ୍‌ ଶେଷ କରିଥିବା ପାରୁଲ୍‌ ୧୫.୧୦.୩୫ ମିନିଟ୍‌ର ସମୟ ନେଇଥିଲେ। ଏହାସହିତ ୧୩ ବର୍ଷ ପୂର୍ବେ ପ୍ରୀଜା ଶ୍ରୀଧରନଙ୍କ ଜାତୀୟ ରେକର୍ଡ ୧୫.୧୫.୮୯ ମିନିଟ୍‌ ସହ ଜାତୀୟ ରେକର୍ଡ ନିଜ ନାମରେ ରଖିଥିଲେ। ଅବିନାଶଙ୍କ ନାମରେ ୩୦୦୦ ମିଟର ଷ୍ଟିପଲଚେଜ୍‌ ରେକର୍ଡ ରହିଥିବା ବେଳେ ସେ ୨୦୨୩ ବିଶ୍ୱ ଚାମ୍ପିୟନଶିପ୍‌ ଷ୍ଟିପଲଚେଜ୍‌ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

Share