Categories: ଖେଳ

କିଟ୍‌କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର

ଭୁବନେଶ୍ୱର, ୧।୧୨ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌)କୁ ବୁଧବାର ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାରରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଏବଂ ଭାରତ ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇ ଅଚ୍ୟୁତ କହିଛନ୍ତି ଯେ, କ୍ରୀଡ଼ାର ଉନ୍ନତି ଦିଗରେ କିଟ୍‌ର ପଦକ୍ଷେପକୁ ଏହା ଏକ ସ୍ବୀକୃତି।

ଶିକ୍ଷା ସହ କିଟ୍‌ କ୍ରୀଡ଼ା ଏବଂ କ୍ରୀଡ଼ା ଭିତ୍ତିଭୂମି ଉପରେ ଫୋକସ କରି ଆସିଛି। କ୍ରୀଡ଼ା ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ସାହ ଓ ସମର୍ଥନ ମଧ୍ୟ କିଟ୍‌କୁ ପ୍ରୋତ୍ସାହିତ କରିଛି। ଓଡ଼ିଶା କ୍ରୀଡ଼ାକୁ ଭିନ୍ନ ଏକ ସ୍ତରକୁ ନେବା ଆମର ମୁଖ୍ୟ ଲକ୍ଷ୍ୟ। ପୁରସ୍କାରକୁ ସେ କିଟ୍‌ର ସମସ୍ତ ଛାତ୍ର ଏବଂ ସଦସ୍ୟମାନଙ୍କ ପ୍ରତି ଉତ୍ସର୍ଗ କରିଛନ୍ତି। ଗତ ୨୦ ବର୍ଷ ଧରି କିଟ୍‌ କ୍ରୀଡ଼ାର ପ୍ରମୋଶନ ଦିଗରେ କାର୍ଯ୍ୟ କରି ଆସୁଛି। ଅଲିମ୍ପିଆନ ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ଦୂତୀ ଚାନ୍ଦ, ସି.ଏ. ଭବାନୀ ଦେବୀ, ଶିବପାଲ ସିଂ, ଅମିତ ରୋହିଦାସ ପ୍ରମୁଖ ଆଥଲେଟ୍‌ କିଟ୍‌ର ଅନ୍ତେବାସୀ।

Share