Categories: ଫୁରସତ

ସାମାଜିକ ଉନ୍ନତି ପାଇଁ ପରିସଂଖ୍ୟାନ

ସାମାଜିକ ଉନ୍ନତି ପାଇଁ ପରିସଂଖ୍ୟାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରିସଂଖ୍ୟାନ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଭାରତରେ ପ୍ରତିବର୍ଷ ୨୯ ଜୁନ୍‌ରେ ଜାତୀୟ ପରିସଂଖ୍ୟାନ ଦିବସ ପାଳନ କରାଯାଇଥାଏ। ଏହିଦିନ କିମ୍ବଦନ୍ତୀ ଭାରତୀୟ ପରିସଂଖ୍ୟାନ ବିଶେଷଜ୍ଞ ପି.ସି. ମାହାଲାନୋବିସଙ୍କ ଜନ୍ମ ଦିବସକୁ ସ୍ମରଣ କରିଥାଏ। ପ୍ରତିବର୍ଷ ଜାତୀୟ ପରିସଂଖ୍ୟାନ ଦିବସରେ ଭାରତ ସରକାର ଏହି ଦିନ ପାଳନ ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି।
ଭାରତରେ ଜାତୀୟ ପରିସଂଖ୍ୟାନ ଦିବସ ପ୍ରଥମେ ୨୦୦୭ରେ ପାଳନ କରାଯାଇଥିଲା। ଏନେଇ ୫ ଜୁନ୍‌ ୨୦୦୭ରେ ଇଣ୍ଡିଆନ ଗେଜେଟରେ ଏକ ଘୋଷଣା ପ୍ରକାଶ ପାଇଲା। ସେବେଠାରୁ ସାମାଜିକ ଉନ୍ନତି ପାଇଁ ସରକାରୀ ପରିସଂଖ୍ୟାନର ମହତ୍ତ୍ୱ ବିଷୟରେ ଜନସାଧାରଣଙ୍କ ଲାଗି ସଚେତନତା ସୃଷ୍ଟି କରିବା ପାଇଁ ପରିସଂଖ୍ୟାନ ଦିବସରେ ସେମିନାର, ଆଲୋଚନାଚକ୍ର, ବିତର୍କ ଏବଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ।
ସରକାର ପରିସଂଖ୍ୟାନକୁ ସମ୍ମାନ ଦେବା ପାଇଁ ମାହାଲାନୋବିସଙ୍କ ଜନ୍ମଦିନକୁ ଚୟନ କରିଥିଲେ। ଜାତୀୟ ପରିସଂଖ୍ୟାନ ଦିବସର ଉଦ୍ଦେଶ୍ୟ ହେଉଛି ଭାରତର ଅର୍ଥନୈତିକ ଯୋଜନାରେ ଅବଦାନ ପାଇଁ ସ୍ବର୍ଗତ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମାହାଲାନୋବିସଙ୍କୁ ସମ୍ମାନିତ କରିବା।
ଜାତୀୟ ପରିସଂଖ୍ୟାନ ଦିବସରେ ପରିସଂଖ୍ୟାନ ଶିକ୍ଷାକୁ ଆଗକୁ ବଢ଼ାଇବା ଏବଂ ଏହାର ମହତ୍ତ୍ୱ ପ୍ରତି ଧ୍ୟାନ ଦେବା ପାଇଁ ଭାରତ ସରକାର ଏହି କାର୍ଯ୍ୟକ୍ରମଗୁଡିକୁ ଗୁରୁତ୍ୱ ପ୍ରଦାନ କରିଥାନ୍ତି।
ପରିସଂଖ୍ୟାନ ଦିବସ ସମସାମୟିକ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଥିମ ସହିତ ପାଳନ କରାଯାଇଥାଏ। ଚଳିତ ୨୦୨୩ ବର୍ଷ ପାଇଁ ପରିସଂଖ୍ୟାନ ଦିବସର ବିଷୟବସ୍ତୁ ହେଉଛି ‘ସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ନଜର ରଖିବା ପାଇଁ ଜାତୀୟ ସୂଚକ ଫ୍ରେମୱାର୍କ ସହିତ ରାଜ୍ୟ ସୂଚକ ଫ୍ରେମୱାର୍କର ସହଯୋଗିତା’(ଆଲାଇନମେଣ୍ଟ ଅଫ ଷ୍ଟେଟ ଇଣ୍ଡିକେଟର ଫ୍ରେମଓ୍ବାର୍କ ଓ୍ବିଥ୍‌ ନ୍ୟାଶନାଲ ଇଣ୍ଡିକେଟର ଫ୍ରେମଓ୍ବାର୍କ ଫର ମନିଟରିଂ ସସଷ୍ଟେନବୁଲ ଡେଭଲପମେଣ୍ଟ ଗୋଲସ୍‌)।

Share