Categories: ଖେଳ

କେରଳକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): ପଶ୍ଚିମବଙ୍ଗର ମାଲଦାଠାରେ ଚାଲିଥିବା ଜାତୀୟ ସବ୍‌ଜୁନିୟର ବାଳକ ଫୁଟବଲ ଚାମ୍ପିୟନଶିପ୍‌ର ମଙ୍ଗଳବାର ଅନୁଷ୍ଠିତ ଏକ ଗ୍ରୁପ୍‌ ମ୍ୟାଚରେ ଓଡ଼ିଶା ୨-୦ ଗୋଲରେ କେରଳକୁ ପରାସ୍ତ କରିଛି। ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଓଡ଼ିଶା ପକ୍ଷରୁ ଅଧିନାୟକ ଅମନ ଲାକ୍ରା ୩୩ତମ ମିନିଟରେ ଏକ ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରିଥିଲେ। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଏହି ଅଗ୍ରଣୀ ବଳବତ୍ତର ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଗୋଲ ପରିଶୋଧ ପାଇଁ କେରଳ ଜୋରଦାର ଉଦ୍ୟମ କରିଥିଲା। ମାତ୍ର ବଦଳ ଖେଳାଳି ଅଭିନନ୍ଦ ସି.ଏସ୍‌ନ୍‌. ୫୭ତମ ମିନିଟରେ ଦୁର୍ଭାଗ୍ୟଜନକଭାବେ ଏକ ଆତ୍ମଘାତୀ ଗୋଲ କରିବାରୁ କେରଳ ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା। ମ୍ୟାଚର ଅବଶିଷ୍ଟ ସମୟରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଥିଲେ ହେଁ ଗୋଲ ହୋଇପାରି ନ ଥିଲା।

Share