ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଶନାଲ ଟେକ୍ନୋଲୋଜି ଡେ’ ଅବସରରେ କିଛି ବୈଜ୍ଞାନିକ ପରିଯୋଜନାର ଶିଳାନ୍ୟାସ କରିବା ସହ ସ୍ମାରକ ଡାକଟିକେଟ ଓ ମୁଦ୍ରା ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି, ମୁଁ ସେହି ଦିନକୁ କେବେ ଭୁଲିବି ନାହିଁ ଯେଉଁଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଭାରତର ସଫଳ ପରମାଣୁ ପରୀକ୍ଷଣର ଘୋଷଣା କରିଥିଲେ। ଏହାଦ୍ୱାରା ଭାରତ ନା କେବଳ ତା’ର ବୈଜ୍ଞାନିକ ସାମର୍ଥ୍ୟକୁ ପ୍ରମାଣିତ କରିଥିଲା ବରଂ ଭାରତ ବିଶ୍ୱ ଦରବାରରେ ଆହୁରି ଉଚ୍ଚକୁ ଯାଇଥିଲା।
ମୋଦି କହିଛନ୍ତି ଯେ ୨୦୧୪ ପରଠାରୁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଭାରତ ଯେଉଁଭଳି ଭାବରେ ଗୁରୁତ୍ୱ ଦେଇଛି, ସେଥିରେ ବଡ଼ ପରିବର୍ତ୍ତନ ଆସିଛି। ପୂର୍ବରୁ ବିଜ୍ଞାନ ଯାହା କେବଳ ବହିରେ ସୀମିତ ଥିଲା, ତାହା ବର୍ତ୍ତମାନ ପରୀକ୍ଷଣଠାରୁ ଅଧିକ ପେଟେଣ୍ଟରେ ପରିଣତ ହେଉଛି । ଭାରତରେ, ୧୦ ବର୍ଷ ପୂର୍ବେ ଗୋଟିଏ ବର୍ଷରେ ୪ ହଜାର ପେଟେଣ୍ଟ ଅନୁଦାନ ଥିଲା, କିନ୍ତୁ ଆଜି ସେମାନଙ୍କ ସଂଖ୍ୟା ୩୦ହଜାର ଅତିକ୍ରମ କରିଛି।