Categories: ଜାତୀୟ

ଜଳ ସଂରକ୍ଷଣ ପାଇଁ ଦେଓଘର ସତ୍‌ସଙ୍ଗ ଆଶ୍ରମକୁ ‘ରାଷ୍ଟ୍ରୀୟ ଜଳ ପୁରସ୍କାର’

ଦେଓଘର, ୨୯।୧୦: ଜଳ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଝାଡ଼ଖଣ୍ଡର ଦେଓଘର ସତ୍‌ସଙ୍ଗ ଆଶ୍ରମକୁ ‘ରାଷ୍ଟ୍ରୀୟ ଜଳ ପୁରସ୍କାର-୨୦୧୯’ ପ୍ରଦାନ କରାଯିବ। ଭାରତ ସରକାରଙ୍କ ଜଳ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ଲାଗି ଦେଓଘର ସତ୍‌ସଙ୍ଗ ଆଶ୍ରମକୁ ଚୟନ କରାଯାଇଛି। ଜଳ ସମ୍ପଦ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଓ୍ବାପକୋସ ଲିମିଟେଡ୍‌ର ସଦସ୍ୟ ଦିପେନ୍ଦ୍ର ଲାମ୍ବା ଧାର୍ମିକ ଅନୁଷ୍ଠାନ ଭାବେ ଦେଓଘର ଆଶ୍ରମକୁ ଜଳ ସଂରକ୍ଷଣ ଲାଗି ପ୍ରଥମ ପୁରସ୍କାର ମିଳିବ ବୋଲି ସୂଚନା ଦେଇଛନ୍ତି। ‘ରାଷ୍ଟ୍ରୀୟ ଜଳ ପୁରସ୍କାର-୨୦୧୯’ ପାଇଁ ଦେଓଘର ସତ୍‌ସଙ୍ଗ ଆଶ୍ରମକୁ ଚୟନ କରାଯାଇଥିବା ନେଇ ଆଶ୍ରମର ଓ୍ବେବସାଇଟ୍‌କୁ ଇ-ମେଲ୍‌ ପଠାଯାଇଥିବା ବ୍ରଜ ସୁନ୍ଦର ସାହୁ ସୂଚନା ଦେଇଛନ୍ତି। ଓ୍ବାପକୋସ ପକ୍ଷରୁ ଦେଓଘର ସତ୍‌ସଙ୍ଗ ଆଶ୍ରମରୁ ଜଳ ସଂରକ୍ଷଣ ସମ୍ପର୍କିତ ୧୦ ସେକେଣ୍ଡର ଏକ ରେକର୍ଡିଂ ତଥ୍ୟ ଲୋଡ଼ାଯାଇଥିଲା। ଏହାକୁ ୨୦୨୦ ନଭେମ୍ବର ୨ ପୂର୍ବରୁ ଦାଖଲ କରାଯିବା ପାଇଁ କୁହାଯାଇଥିଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ,ବର୍ଷାଜଳ ସଂରକ୍ଷଣ କରାଯିବା ଲାଗି ସତ୍‌ସଙ୍ଗ ଆଶ୍ରମରେ ବହୁ ଗୃହର ଛାତ ଉପରେ ବ୍ୟବସ୍ଥା କରାଯାଇଛି। ଏହା ସହିତ ଉପଯୋଗ ହୋଇଥିବା ଜଳର ପୁନଃ ବ୍ୟବହାର ପ୍ରକ୍ରିୟା ମଧ୍ୟ ଏଠାରେ କରାଯାଉଥିବା ବ୍ରଜ ସୁନ୍ଦର ପ୍ରକାଶ କରିଛନ୍ତି।

Share