Categories: ଜାତୀୟ

କିଏ ସେ ସୁରିନ୍ଦର ଚୌଧୁରୀ? ଯାହାକୁ ଉପମୁଖ୍ୟମନ୍ତ୍ରୀ କଲା ଉମର ସରକାର.. ଭାଜପାର ତୁଙ୍ଗ ନେତାଙ୍କୁ କରିଥିଲେ ପରାଜିତ

ଶ୍ରୀନଗର,୧୬।୧୦: ଜମ୍ମୁ-କଶ୍ମୀରରେ ନୂଆ ସରକାର ଗଠନ ହୋଇଛି। ବୁଧବାର ନ୍ୟାଶନାଲ କନ୍‌ଫରେନ୍ସର ନେତା ଉମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହିଭଳି ନୌସେରାରୁ ବିଧାୟକ ଥିବା ସୁରିନ୍ଦର ଚୌଧୁରୀ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଗତ ବିଧାନସଭା ନିର୍ବାଚନରେ ଭାଜପାକୁ ବଡ଼ ଝଟ୍‌କା ଦେଇଥିଲେ ସୁରିନ୍ଦର। ସେ ଭାଜପାର ରାଜ୍ୟ ମୁଖ୍ୟ ଥିବା ରବିନ୍ଦ୍ର ରାଇନାଙ୍କୁ ହରାଇ ବିଧାନସଭା ପହଞ୍ଚିଛନ୍ତି। ଆସନ୍ତୁ ତାଙ୍କ ବିଷୟରେ ଜାଣିବା:-

ନିର୍ବାଚନରେ ସୁରିନ୍ଦର ରବିନ୍ଦ୍ରଙ୍କୁ ୭୮୧୯ ଭୋଟରେ ପରାଜିତ କରିଥିଲେ। ଏହାପୂର୍ବରୁ ସେ ୨୦୧୪ରେ ମଧ୍ୟ ନିର୍ବାଚନ ଲଢ଼ିଥିଲେ। ହେଲେ ଏହି ନିର୍ବାଚନରେ ରବିନ୍ଦ୍ର ସୁରିନ୍ଦରଙ୍କୁ ପ୍ରାୟ ୧୦ ହଜାର ଭୋଟରେ ପରାଜିତ କରିଥିଲେ।

ମେହବୁବା ମୁଫ୍‌ତିଙ୍କ ନେତୃତ୍ୱାଧୀନ ପିପୁଲ୍ସ ଡେମୋକ୍ରେଟିକ୍‌ ପାର୍ଟି(ପିଡିପି)ର ସୁରିନ୍ଦର ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ସୁଯୋଗ ଦେଖି ସେ ଅବ୍‌ଦୁଲ୍ଲାଙ୍କ ପରିବାର ହାତ ଧରିଥିଲେ। ସେ ଜମ୍ମୁ କଶ୍ମୀର ରାଜ୍ୟ ବୋର୍ଡରୁ ଦ୍ୱାଦଶ ଯାଏ ପଢ଼ିଛନ୍ତି। ସେହିଭଳି ସେ ୨.୩ କୋଟି ସମ୍ପତ୍ତିର ମାଲିକ ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ତାଲିକାରେ ଦର୍ଶାଇଛନ୍ତି।

ଗତ ବିଧାନସଭା ନିର୍ବାଚନରେ ନ୍ୟାଶନାଲ କନ୍‌ଫରେନ୍ସ ୪୨ ଆସନରେ ବିଜେତା ହୋଇଛି। ସେଥିରୁ ୨ ଆସନରେ ହିନ୍ଦୁ ପ୍ରାର୍ଥୀ ବିଧାୟକ ହୋଇଛନ୍ତି। ଯେଉଁଥିରୁ ଗୋଟିଏ ଆସନ ନୌସେରାର। ଏଠାରୁ ଜିତି ସୁରିନ୍ଦର ବିଧାନସଭାରେ ପହଞ୍ଚିଛନ୍ତି। ଦଳର ସଫଳତା କଶ୍ମୀର ଅଞ୍ଚଳରେ ଅଧିକ ରହିଛି। ଏହି କାରଣରୁ ଜମ୍ମୁରେ ଶକ୍ତି ବଢ଼ାଇବାକୁ ନୌସେରାରୁ ବିଧାୟକ ଥିବା ସୁରିନ୍ଦରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ଏପରି କରି ଉମର ଅବଦୁଲ୍ଲା ହିନ୍ଦୁଙ୍କୁ ବାର୍ତ୍ତା ଦେଇଛନ୍ତି ଯେ ସେ ସେମାନଙ୍କ ସହ ପାଦରେ ପାଦ ମିଳାଇ ଚାଲିବେ।

କହିରଖୁଛୁ ଯେ, ନ୍ୟାଶନାଲ କନ୍‌ଫରେନ୍ସ କଂଗ୍ରେସ ସହ ମିଶି ମେଣ୍ଟ ସରକାର ଗଠନ କରିଥିଲେ। ହେଲେ ନିର୍ବାଚନ ପରିଣାମ ପରେ କଂଗ୍ରେସ ସରକାରରେ ସାମିଲ ହେବା ବଦଳରେ ବାହାରୁ ସମର୍ଥନ ଦେବାକୁ ଘୋଷଣା କରିଛି। ଏହାଛଡ଼ା ଏଏପି , ସିପିଏମ୍‌ ଏବଂ ସ୍ବାଧୀନ ବିଧାୟକମାନେ ମଧ୍ୟ ଉମର ସରକାରଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି।

Share