Categories: ଖେଳ

ଜାତୀୟ ମହିଳା ଫୁଟ୍‌ବଲ ଚାମ୍ପିୟନଶିପ: ଅରୁଣାଚଳର ବୃହତ୍‌ ବିଜୟ

ସୁନ୍ଦରଗଡ,୧୬ା୧୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା କ୍ରୀଡା ସଂସଦ ଓ ଫୁଟ୍‌ବଲ ଆସୋସିଏଶନ ଅଫ ଓଡିଶା(ଫାଓ)ର ମିଳିତ ଆନୁକୂଲ୍ୟରେ ଷ୍ଟାଡିୟମରେ ଚାଲିଥିବା ୨୮ତମ ଜାତୀୟ ମହିଳା ଫୁଟ୍‌ବଲ ଚାମ୍ପିୟନଶିପର ତୃତୀୟ ଦିନରେ ଅରୁଣାଚଳ ପ୍ରଦେଶ ବୃହତ ବିଜୟ ହାସଲ କରିଥିବା ବେଳେ ଗୋଆ ଓ ଗୁଜରାଟ ପଏଣ୍ଟ ବାଣ୍ଟିଛନ୍ତି। ପ୍ରଥମ ମ୍ୟାଚ ଅରୁଣାଚଳ ପ୍ରଦେଶ ଓ ମେଘାଳୟ ମଧ୍ୟରେ ଖେଳା ଯାଇଥିଲା। ଅରୁଣାଚଳ ପ୍ରଦେଶ ପକ୍ଷରୁ ୟୁମଲାମ ଲାଲି(୧୯,୫୫,୬୦ଓ ୮୭ମିନିଟ)ରେ ୪ଟି ଗୋଲ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାଇ ରୁମି (୬୪ ମିନିଟ),ଜିଆନି ରାମଚିଙ୍ଗ (୯୦+୧ମିନିଟ)ରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ମେଘାଳୟ ତରଫରୁ ମାରବ୍ରିନ ନୋଙ୍ଗରୁମ (୫୭ମିନିଟରେ)ଏକ ମାତ୍ର ଗୋଲ ଦେଇଥିଲେ। ଅରୁଣାଚଳ ପ୍ରଦେଶ ୬-୧ରେ ଏହି ମ୍ୟାଚ୍‌ରେ ବିଜୟ ହାସଲ କରିଛି।

ଅପରାହ୍ନରେ ଶକ୍ତିଶାଳୀ ଗୋଆ ଓ ଗୁଜରାଟ ଦଳ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ ୧-୧ରେ ଡ୍ର ରହିଥିଲା। ଗୋଆ ଦଳର ପର୍ଲ ଫର୍ନାଣ୍ଡେସ୍‌ ୩୧ ମିନିଟରେ ଗୋଲ ଦେଇ ୧-୦ରେ ଆଗୁଆ କରିଥିଲେ। ଦ୍ବିତୀୟାର୍ଦ୍ଧର ୬୮ ମିନିଟରେ ଗୁଜରାଟ ଦଳର ଭାରତୀ ବରୋଟ ଏକ ଚମତ୍କାର ଗୋଲ ଦେବା ଫଳରେ ମ୍ୟାଚ୍‌ଟି ୧-୧ରେ ଶେଷ ହୋଇଥିଲା। ଆସନ୍ତା ୧୯ ତାରିଖ ସକାଳ ୧୦ଟାରେ ଓଡିଶା ଓ ଗୁଜରାଟ ତଥା ଅପରାହ୍ନ ୨ଟା ୩୦ରେ ଗୋଆ ଓ ମେଘାଳୟ ମଧ୍ୟରେ ମ୍ୟାଚ ହେବ। ଜିଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ ଭୋଳ, କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକ, ଉପସଭାପତି ମେରୀଜନ ବାଗେ, ବିମଲ ବୋଷ, ଜୟଦେବ ପାତ୍ର, ରାଜେନ୍ଦ୍ର ପାଣ୍ଡେ, ରବି ମହାପାତ୍ର, ନିତ୍ୟ କୁମାର ବଳ,ସୁଶୀଲ ପଟେଲ, ଆଶିଷ ଦେ,ପ୍ରସାଦ ନାଏକ, ଅଜୟ ବହିଦାର ପ୍ରମୁଖଙ୍କ ନେୃତୃତ୍ୱରେ ଖେଳ ପରିଚାଳିତ ହେଉଛି।

Share