Categories: ଜାତୀୟ

ରାଷ୍ଟ୍ରବାଦ ରାଜନୀତି, ମୋହନ ଭାଗଓ୍ବତ-ସଞ୍ଜୟ ମୁହାଁମୁହିଁ, ଅଖଣ୍ଡ ଭାରତ ସ୍ବପ୍ନ ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ, ୧୪।୪ : ରାଷ୍ଟ୍ରବାଦ ରାଜନୀତି ନେଇ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗଓ୍ବତ ଏବଂ ଶିବସେନା ଏମ୍‌ପି ସଞ୍ଜୟ ରାଉତ ମୁହାଁମୁହିଁ ହୋଇଛନ୍ତି। ପୁଣି ଅଖଣ୍ଡ ଭାରତ ସ୍ବପ୍ନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭାଗଓ୍ବତ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ସନାତନ ଧର୍ମ ହେଉଛି ହିନ୍ଦୁ ରାଷ୍ଟ୍ର। ୧୫ ବର୍ଷ ମଧ୍ୟରେ ଭାରତ ପୁଣି ଏକ ଅଖଣ୍ଡ ଭାରତରେ ପରିଣତ ହେବ। ଆମେ ଏସବୁକୁ ନିଜ ଆଖିରେ ଦେଖିବା।

ସେ କହିଛନ୍ତି ଯେ ଯଦିଓ ସାଧୁମାନଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୨୦ ରୁ ୨୫ ବର୍ଷ ମଧ୍ୟରେ ଭାରତ ପୁଣି ଏକ ଅଖଣ୍ଡ ଭାରତ ହେବ। ମାତ୍ର ଆମେ ସମସ୍ତେ ଏକାଠି ଏହି କାର୍ଯ୍ୟରେ ଯୋଗଦେଲେ୧୦ ରୁ ୧୫ ବର୍ଷ ମଧ୍ୟରେ ଅଖଣ୍ଡ ଭାରତ ଗଠନ ହୋଇ ପାରିବ।

ଏହାର ଜବାବରେ ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି ଯେ ତୁମେ ଅଖଣ୍ଡ ଭାରତ ନିର୍ମାଣ କର କିନ୍ତୁ ୧୫ ବର୍ଷ ନୁହେଁ ୧୫ ଦିନ କାର୍ଯ୍ୟରେ କରି ଦେଖାଇବାକୁ ପ୍ରତିଜ୍ଞା କର। ଅଖଣ୍ଡ ଭାରତର ସ୍ବପ୍ନ ସଭିଏଁ ଦେଖୁଛନ୍ତି। ଏହା ବୀର ସାବରକର, ବାଲାସାହେବ ଠାକରେଙ୍କ ସ୍ବପ୍ନ ଥିଲା। ତେଣୁ ସର୍ବପ୍ରଥମେ ତୁମେ ବୀର ସାବରକରଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିବା ଆବଶ୍ୟକ।

ରାଉତ କହିଛନ୍ତି ଯେ ଏକ ଅଖଣ୍ଡ ଭାରତ ଗଠନ କରିବା ପାଇଁ ସର୍ବପ୍ରଥମେ ଭାରତ ସହିତ ପାକ୍‌ ଅଧିକୃତ କଶ୍ମୀର(ପିଓକେ)କୁ ସଂଯୋଗ କର ଏବଂ ତା’ପରେ ବିଭାଜନ ହୋଇଥିବା ପାକିସ୍ତାନକୁ ଭାରତ ସହିତ ଯୋଡ଼ିବା କାର୍ଯ୍ୟ କର।

ସେ କହିଛନ୍ତି ଯେ ଯେଉଁଠାରେ ପୂର୍ବରୁ ଭାରତର ସୀମା ଥିଲା, ସେସବୁକୁ ମଧ୍ୟ ଯୋଡନ୍ତୁ। ଶ୍ରୀଲଙ୍କାକୁ ଯୋଡନ୍ତୁ ଏବଂ ପରେ ଭାରତକୁ ଏକ ସୁପର ପାୱାର୍‌ କରନ୍ତୁ। ଆପଣଙ୍କୁ କେହି ଅଟକାଇ ନାହାଁନ୍ତି। କିନ୍ତୁ ଏହାପୂର୍ବରୁ କାଶ୍ମୀର ପଣ୍ଡିତମାନଙ୍କୁ ଘରକୁ ଫେରିବା ପାଇଁ ଦିଅନ୍ତୁ ଏବଂ ଯଦି ଆପଣ ଏହା କରନ୍ତି ତେବେ ଆମେ ଆପଣଙ୍କୁ ନିଶ୍ଚିତ ସମର୍ଥନ କରିବୁ।

ସଞ୍ଜୟ କହିଛନ୍ତି ଯେ, ଶିବସେନାର ରକ୍ତରେ ମଧ୍ୟ ହିନ୍ଦୁତ୍ୱ ରହିଛି। ତେଣୁ ଆମକୁ ହିନ୍ଦୁତ୍ୱ ବିଷୟରେ କିଛି ଶିକ୍ଷା କରିବାର ଆବଶ୍ୟକତା ନାହିଁ। ଯେତେବେଳେ ବି ହିନ୍ଦୁତ୍ୱ ଉପରେ ଆକ୍ରମଣ କରାଯାଏ, ସେତେବେଳେ ଭାଜପା ଆଗରେ ନଥାଏ। ଆମେ ସେଠାରେ ରହିଥାଉ। ସେଠାରେ ବାଲାସାହେବ ଠାକରେ ଏବଂ ଉଦ୍ଧବ ଠାକରେ ରହିଥିଲେ ବୋଲି ସଞ୍ଜୟ କହିଛନ୍ତି।

Share