Categories: ରାଜ୍ୟ

କୃତ୍ରିମ ବୁଦ୍ଧିମତାର ସଦୁପଯୋଗ ମାଧ୍ୟମରେ ଦେଶର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୧୧: ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଅପରିହାର୍ଯ୍ୟ। କୃତ୍ରିମ ବୁଦ୍ଧିମତାର ସଦୁପଯୋଗ ମାଧ୍ୟମରେ ଦେଶର
ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଜି ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଉଦ୍‌‌ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ଦେଶର ଉନ୍ନତି ଦେଶବାସୀଙ୍କ ସାମଗ୍ରୀକ ଉନ୍ନତି ପାଇଁ ଉଦ୍ଦିଷ୍ଟ ହେବା ଆବଶ୍ୟକ। ଏହା ମାନବିକତା ପାଇଁ ସମର୍ପିତ ହେବା ଉଚିତ ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି କହିଛନ୍ତି, ଆମ ଦେଶର ଭୌତିକ ପ୍ରଗତୀ ଯୁବପିଢ଼ିଙ୍କ ଉପରେ ନିର୍ଭର କରେ। ତେବେ ବ୍ୟକ୍ତିଗତ ସଫଳତା ସବୁବେଳେ ସଫଳତାର ମାପକାଠି ନୁହେଁ। ବରଂ ସମାଜ ପ୍ରତି ଜଣେ ବ୍ୟକ୍ତିର ଅବଦାନ ଏହା ନିର୍ଦ୍ଧାରିତ କରିଥାଏ। ଶ୍ରୀମତୀ ମୁର୍ମୁ ଏହି ଅବସରରେ ଝିଅମାନଙ୍କୁ ଶିକ୍ଷା ପ୍ରଦାନ ପାଇଁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ଦେଶ ମହିଳାଙ୍କ ବିକାଶରୁ ମହିଳାଙ୍କ ନେତୃତ୍ୱରେ ବିକାଶ ଆଡକୁ ଅଗ୍ରସର ହେଉଛି।

ଚନ୍ଦ୍ରଯାନ-୩ର ସଫଳତା ପଛରେ ସେ ମହିଳା ବୈଜ୍ଞାନିକମାନଙ୍କ ଯୋଗଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ୨୭ ଜଣ ଛାତ୍ରଛାତ୍ରୀଙ୍କୁ ୩୭ ଟି ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି। ଏହାପରେ ରାଷ୍ଟ୍ରପତି ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଥିଲେ। ଏହାପୂର୍ବରୁ ସେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ରେଳଷ୍ଟେସନରୁ ୩ଟି ନୂତନ ଟ୍ରେନ୍‌‌ ଚଳାଚଳର ଶୁଭାରମ୍ଭ କରିଥିଲେ। ଏହା ପରେ ରାଷ୍ଟ୍ରପତି ପାହାଡପୁରରେ ଦକ୍ଷତାବିକାଶ କେନ୍ଦ୍ରର ଉଦ୍‌‌ଘାଟନ କରିବା ସହ ରାଇରଙ୍ଗପୁର ନୂତନ ଡାକମଣ୍ଡଳକୁ ଲୋକାର୍ପଣ
କରିଥିଲେ।

 

Share