Categories: ଜାତୀୟ

୧୪ରେ ଦେଶବ୍ୟାପୀ ତୀବ୍ର ହେବ ଆନ୍ଦୋଳନ: କୃଷକ ସଙ୍ଗଠନ

ନୂଆଦିଲ୍ଲୀ,୯ା୧୨-କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି। ବିବାଦୀୟ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରା ନ ଗଲେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ବୁଧବାର କୃଷକ ସଙ୍ଗଠନଗୁଡ଼ିକ ରୋକ୍‌ଠୋକ୍‌ ଶୁଣାଇଛନ୍ତି। ଏହାସହ ସେମାନେ ଆନ୍ଦୋଳନକୁ ଆଗକୁ ବଢ଼ାଇବା ନେଇ ସେମାନଙ୍କ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି।
ସର୍ବସମ୍ମତି କ୍ରମେ ନିଆଯାଇଥିବା ପ୍ରସ୍ତାବ ଅନୁସାରେ, ଆସନ୍ତା ୧୨ ତାରିଖରେ ଦିଲ୍ଲୀ-ଜୟପୁର ଓ ଦିଲ୍ଲୀ-ଆଗ୍ରା ଏକ୍ସପ୍ରେସ୍‌ଓ୍ବେକୁ ଅବରୋଧ କରାଯିବ। ଏହି ଦିନ ସାରା ଦେଶର ଟୋଲ୍‌ ପ୍ଲାଜାଗୁଡ଼ିକୁ ଦଖଲ କରି ଟୋଲ୍‌ ଫ୍ରି କରାଯିବ। ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଅବରୋଧ କରାଯିବ। ୧୪ରେ ସାରା ଦେଶରେ ଆନ୍ଦୋଳନକୁ ତୀବ୍ର କରାଯିବ। ବିଶେଷକରି ଦକ୍ଷିଣ ଭାରତ ଓ ଅନ୍ୟ ରାଜ୍ୟଗୁଡ଼ିକର ଜିଲା ମୁଖ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିକ୍ଷୋଭ କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ସେହିପରି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଓ ଜିଓର ସମସ୍ତ ସେବା ତଥା ସାମଗ୍ରୀକୁ ବର୍ଜନ କରାଯିବ। ସେହିପରି ଦେଶବ୍ୟାପୀ ଭାଜପା ଅଫିସଗୁଡ଼ିକୁ ଘେରାଉ କରିବାକୁ କୃଷକ ସଙ୍ଗଠନଗୁଡ଼ିକ ବୁଧବାର ଚେତାବନୀ ଦେଇଛନ୍ତି।

Share