ଦେଶବ୍ୟାପୀ ଏନ୍‌ଆର୍‌ସି ସମୟର ଆବଶ୍ୟକତା: ବିଶ୍ୱଶର୍ମା

ବେଙ୍ଗାଲୁରୁ,୨ା୫(ଆଇଏଏନ୍‌ଏସ୍‌): ସରକାରୀ ଯୋଜନା ଯୋଗ୍ୟ ବ୍ୟକ୍ତିବିଶେଷଙ୍କ ପାଖରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ନିମନ୍ତେ ନାଗରିକମାନଙ୍କ ଜାତୀୟ ପଞ୍ଜିକା (ଏନ୍‌ଆର୍‌ସି) ସାରା ଦେଶରେ ଲାଗୁ ହେବା ଆବଶ୍ୟକ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଙ୍ଗଳବାର କହିଛନ୍ତି। କର୍ନାଟକରେ ନିର୍ବାଚନ ପ୍ରଚାରରେ ଥିବା ବିଶ୍ୱଶର୍ମା ସମାନ ନାଗରିକ ସଂହିତା (ୟୁସିସି) ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଏହା ଲିଙ୍ଗଗତ ସମାନତା ସମେତ ଦେଶର ମୁସଲମାନ ମହିଳାଙ୍କୁ ସମାନ ଅଧିକାର ସୁନିଶ୍ଚିତ କରିବ ବୋଲି ସେ ଦାବି କରିଛନ୍ତି। ବେଙ୍ଗାଲୁରୁର ମାଲ୍ଲେଶ୍ୱରମଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ, ଦେଶ ସ୍ବାଧୀନତାର ୭୫ ବର୍ଷ ସମ୍ପୂର୍ଣ୍ଣ କରି ଅମୃତ କାଳ ଦିଗରେ ଅଗ୍ରସର ହେଉଛି। ତଥପି ଦେଶର ପ୍ରକୃତ ନାଗରିକ କିଏ ଆମେ ଜାଣିନାହେଁ। ଫଳରେ ସରକାରୀ ଯୋଜନା ପ୍ରକୃତ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାହାକୁ ନେଇ ଦ୍ୱନ୍ଦ୍ୱ ରହିଛି। ତେଣୁ ଦେଶବ୍ୟାପୀ ଏନ୍‌ଆର୍‌ସି ଏବେ ସମୟର ଆବଶ୍ୟକତା ବୋଲି ବିଶ୍ୱଶର୍ମା କହିଛନ୍ତି।

Share