ଆଜି ଦେଶବ୍ୟାପୀ ଧର୍ମଘଟ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): କେନ୍ଦ୍ରର ଭାଜପା ସରକାର ଶ୍ରମିକମାନଙ୍କ ସ୍ବାର୍ଥକୁ ଅଣଦେଖା କରି ପାର୍ଲାମେଣ୍ଟରେ ଆଣିଥିବା ଶ୍ରମିକକୋଡ୍‌କୁ ବାତିଲ, କୃଷକ ବିରୋଧୀ ଆଇନ ଏବଂ ରାଷ୍ଟ୍ରୀୟ ସମ୍ପତ୍ତିକୁ ଘରୋଇକରଣ କରିବା ବିରୋଧରେ ଗୁରୁବାର ୬ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଯଥା ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ ଆଦି ଧର୍ମଘଟ ଡାକରା ଦେଇଛନ୍ତି। ଏଥିସହିତ ଏହି ଧର୍ମଘଟରେ ଏଆଇଏଫ୍‌, ଟିୟୁସିସି, ବ୍ୟାଙ୍କ, ବୀମା, ରାଜ୍ୟ ସରକାରୀ କର୍ମଚାରୀ, କେନ୍ଦ୍ର କୋଇଲା, ପ୍ରତିରକ୍ଷା ଆଦି ସଂସ୍ଥାର ସଂଗଠନଗୁଡ଼ିକ ସାମିଲ ହୋଇଛନ୍ତି। ସଂଗଠନର ନେତାମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅଫିସ ଆଗରେ ପିକେଟିଂ କରିବା ସହ ଶୋଭାଯାତ୍ରାରେ ବିରୋଧ ପ୍ରଦର୍ଶନ କରିବେ। ଆୟକର ଦେଉ ନ ଥିବା ପ୍ରତ୍ୟେକ ପରିବାରକୁ ମାସିକ ୭୫୦୦ ଟଙ୍କା, ୬ ମାସ ପାଇଁ ମାସିକ ୧୦ କି.ଗ୍ରା. ଚାଉଳ/ଗହମ, ଗ୍ରାମାଞ୍ଚଳରେ ଶ୍ରମିକମାନଙ୍କୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବର୍ଦ୍ଧିତ ମଜୁରିରେ ୨୦୦ ଦିନ ପାଇଁ କାମ, ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ୍‌ ଓ ଚାଷୀ ବିରୋଧୀ ୩ଟି ଫାର୍ମ ଆଇନକୁ ବାତିଲ କରିବା, ରେଳ, କୋଇଲା, ପ୍ରତିରକ୍ଷା ସମେତ ବ୍ୟାଙ୍କ, ବୀମା ଭଳି ଆର୍ଥିକ କ୍ଷେତ୍ର, ତୈଳ ଓ ବାଷ୍ପ ବନ୍ଦର ଆଦି ଲାଭଜନକ ରାଷ୍ଟ୍ରାୟତ୍ତ ଓ ସରକାରୀ ବିଭାଗଗୁଡ଼ିକର ବିକ୍ରି ଓ ଘରୋଇକରଣ ବନ୍ଦ କରିବା, ସମସ୍ତ ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀଙ୍କୁ ପେନ୍‌ସନ ଦେବା ଆଦିରେ ଏହି ଧର୍ମଘଟ ଡାକରା ଦିଆଯାଇଛି।
ରାଜ୍ୟରେ ବିଭିନ୍ନ ଶ୍ରମିକ ସଂଗଠନ ସହ ଏହି ଧର୍ମଘଟରେ କଂଗ୍ରେସ ସାମିଲ ହୋଇଛି। ଧର୍ମଘଟକୁ ସଫଳ କରିବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସମସ୍ତ ଜିଲା କଂଗ୍ରେସ କମିଟି, ରାଜ୍ୟର ଛାମୁଆ ସଂଗଠନ, ପ୍ରକୋଷ୍ଠ ଓ ବିଭାଗର ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି।

Share