କେତେ ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି ନାଟୋ ଦେଲା ସୂଚନା…

ଓ୍ବାଶିଂଟନ/କ୍ୱିଭ୍‌/ମସ୍କୋ,୨୪।୩ : ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଆକଳନ କରିଛି ଯେ ୟୁକ୍ରେନରେ ଏକ ମାସ ଧରି ଚାଲିଥିବା ଯୁଦ୍ଧରେ ୭,୦୦୦ ରୁ ୧୫,୦୦୦ ରୁଷୀୟ ସୈନିକଙ୍କ ମୃତ୍ୟୁ ଘଟିଛି। ନାଟୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୟୁକ୍ରେନ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ତଥା ନିରପେକ୍ଷ ଉତ୍ସରୁ ସଂଗୃହିତ ଗୁପ୍ତଚର ତଥ୍ୟ ଉପରେ ଏହା ଆଧାରିତ। ୨୪ ଫେବୃଆରୀରେ ରୁଷିଆ ୟୁକ୍ରେନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ତେବେ ଚାରି ସପ୍ତାହ ବିତିବା ପରେ ମଧ୍ୟ ରୁଷିଆ ଏହାର ସୈନିକଙ୍କ ମୃତ୍ୟୁ ସଂଖ୍ୟା ରିପୋର୍ଟ ଦେଇ ନାହିଁ।

ଏହାପୂର୍ବରୁ ନାଟୋର ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ ଚାଇନାକୁ ଟାର୍ଗେଟ କରିଛନ୍ତି। ଖୋଲାଖୋଲି ମିଛ କହି ଚାଇନା ରୁଷିଆକୁ ରାଜନୈତିକ ସମର୍ଥନ ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥି ସହିତ ସେ କହିଛନ୍ତି ଯେ ପରମାଣୁ ଏବଂ ରାସାୟନିକ ବିପଦରୁ ରକ୍ଷା ପାଇବା ପାଇଁ ୟୁକ୍ରେନକୁ ଅତିରିକ୍ତ ସହାୟତା ପ୍ରଦାନ କରିବାକୁ ନାଟୋ ସହଯୋଗୀ ରାଜି ହେବାକୁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି ପୂର୍ବାଞ୍ଚଳର ସଦସ୍ୟମାନଙ୍କ ପାଇଁ ନାଟୋ ଚାରୋଟି ନୂତନ ସାମରିକ ଦଳଙ୍କୁ ନିୟୋଜିତ କରିବ।

ଗୁରୁବାର ବେଲଜିୟମର ରାଜଧାନୀ ବ୍ରୁସେଲ୍ସରେ ନାଟୋ ନେତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଏବଂ ଏହି ପ୍ରସଙ୍ଗରେ ଚାଇନା ଭୂମିକା ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ। ଏହି ଗୁରୁତ୍ୱପୂର୍ଣ୍ଣ ନାଟୋ ଶିଖର ସମ୍ମିଳନୀ ପୂର୍ବରୁ ସେକ୍ରେଟେରୀ ଜେନେରାଲ ଜେନ୍ସ ଷ୍ଟୋଲଟେନ୍ବର୍ଗ ଦେଇଥିବା ମନ୍ତବ୍ୟ ଉପରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି।

 

Share