ୟୁକ୍ରେନକୁ ଏକେଲା ଛାଡିଦେଲା ନାଟୋ ଦେଶ, ଆମେରିକା-ବ୍ରିଟେନ, ୟୁରୋପୀୟ ୟୁନିୟନ ରୁଷିଆ ଉପରେ ଲଗାଇଲେ କଡା ପ୍ରତିବନ୍ଧକ

ୱାଶିଂଟନ,୨୫ ।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ରୁଷିଆ ଆମେରିକାର ସମସ୍ତ ଆର୍ଥିକ ପ୍ରତିବନ୍ଧକକୁ ଏକ ପ୍ରକାର ଅଣଦେଖା କରି ଦେଇଛି କହିଲେ ଚଲେ । ଆମେରିକା ପାଖରେ ବି ଏହାର କୌଣସି ବିକଳ୍ପ ନ ଥିବା ଆଲୋଚନା ହେଉଛି । ଏବେ ରୁଷିଆ ଓ ଆମେରିକା ମଧ୍ୟରେ ଚାଳିଥିବା ବିବାଦ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି । ବାଇଡେନ ରୁଷିଆର ୪ ବଡ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ସହ ଅନ୍ୟ ଆର୍ଥିକ ପ୍ରତିବନ୍ଧକ ବି ଲଗାଇଛନ୍ତି ।
ରୁଷିଆ-ୟୁକ୍ରେନ ଯୁଦ୍ଧ ହୋଇଛି ସତ । ହେଲେ ଏଥିରେ କଷ୍ଟ ଆମେରିକାକୁ ହୋଇଥିବା ସ୍ପଷ୍ଟ ବାରି ହୋଇ ପଡିଛି । କାରଣ ଆମେରିକା ରୁଷିଆ ଉପରେ ଭିନ୍ନ ଭିନ୍ନ ପ୍ରତିବନ୍ଧକ ଲଗାଇଛି । ଏଥିରେ ଆମେରିକାର ସୁପର ପାୱାର ଛବିକୁ ପୁଟିନ ବଡ ଝଟ୍‌କା ଦେଇଥିବା କୁହାଯାଉଛି । ଗଣମାଧ୍ୟମ ସାମ୍ନାରେ ରୁଷିଆ ଉପରେ ନିଜର କ୍ରୋଧ ପ୍ରକାଶ କରି ବାଇଡେନ ଗୋଟିଏ ପରେ ଗୋଟିଏ ଆର୍ଥିକ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ଏପଟେ ୟୁକ୍ରେନକୁ ଆମେରିକା ତା’ର ସେନା ପଠାଇବ ନାହିଁ ବୋଲି ମନା କରି ଦେଇଛି । ଅନ୍ୟପଟେ ନାଟୋ ଦେଶ ୟୁକ୍ରେନକୁ ସେନା ନ ପଠାଇ ଏକେଲା କରିଦେଇଛନ୍ତି । ଶୁକ୍ରବାର ନାଟୋ ଦେଶ ସହ ଆମେରିକା ବଡ ବୈଠକ କରିବ ।

Share