ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାଟୋ

ଓ୍ବାଶିଂଟନ୍‌,୧୨ା୭:ରୁଷିଆ ସହିତ ଚାଇନାର ଗଭୀର ସମ୍ପର୍କକୁ ନେଇ ନର୍ଥ ଆଟାଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ଚିନ୍ତାବ୍ୟକ୍ତ କରିଛି। ଏଥିସହ ୟୁକ୍ରେନ୍‌ ବିରୋଧରେ ରୁଷିଆ ପ୍ରାୟ ଅଢ଼େଇ ବର୍ଷ ଧରି ଚଳାଇଥିବା ଯୁଦ୍ଧରେ ବେଜିଂର ନିର୍ଣ୍ଣାୟକ ଭୂମିକା ଥିବା ଅଭିଯୋଗ ଆଣିଛି। ଅନ୍ୟପକ୍ଷେ ପାଶ୍ଚାତ୍ୟ ସାମରିକ ମେଣ୍ଟ ପକ୍ଷରୁ ଅଣାଯାଇଥିବା ଏହି ଅଭିଯୋଗକୁ ବେଜିଂ ଖଣ୍ଡନ କରିଛି। ଅନ୍ୟ ରାଷ୍ଟ୍ରଗୁଡ଼ିକର ଅର୍ଥରେ ନାଟୋ ନିଜ ସୁରକ୍ଷା ଖୋଜୁଛି। ଏସିଆକୁ ଏଭଳି ବିବାଦ ନ ଆଣିବାକୁ ନାଟୋକୁ ଚାଇନା ପରାମର୍ଶ ଦେଇଛି।
ଓ୍ବାଶିଂଟନ୍‌ରେ ଆମେରିକା ନେତୃତ୍ୱାଧୀନ ନାଟୋର ୭୫ତମ ବାର୍ଷିକ ନର୍ଥ ଆଟଲାଣ୍ଟିକ୍‌ କାଉନ୍‌ସିଲ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଗୁରୁବାର ଏହାର ଉଦ୍‌ଯାପନୀ ଅବସରରେ ୩୨ ସଦସ୍ୟ ରାଷ୍ଟ୍ରର ନେତାମାନେ ଏକ ମିଳିତ ବିବୃତି ଜାରି କରିଛନ୍ତି। ଏଥିରେ ସେମାନେ ଉଲ୍ଲେଖ କରିଛନ୍ତି, ଚାଇନାର ମହତ୍ତ୍ୱାକାଂକ୍ଷା ଓ କଠୋର ନୀତିଗୁଡ଼ିକ ନାଟୋର ସ୍ବାର୍ଥ, ସୁରକ୍ଷା ଓ ମୂଲ୍ୟବୋଧ ପାଇଁ ଆହ୍ବାନ ସୃଷ୍ଟି କରିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଚାଇନାର ବଢ଼ିଚାଲିଥିବା ସୀମାହୀନ ରଣନୈତିକ ସହଭାଗିତା ଅତ୍ୟନ୍ତ ଚିନ୍ତାଜନକ। ୨୦୨୨ ଫେବୃୟାରୀରେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଓ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କ ମଧ୍ୟରେ ସାକ୍ଷାତ ବେଳେ ଏହି ସହଭାଗିତାର ଘୋଷଣା କରାଯାଇଥିଲା। ଏହାର ଦିନକ ପରେ ଫେବୃୟାରୀ ୨୪ରେ ପୁଟିନ୍‌ ୟୁକ୍ରେନ୍‌ ଆକ୍ରମଣର ନିର୍ଦ୍ଦେଶ ଦେଇଥିଲେ। ଏଥିଯୋଗୁ ନାଟୋକୁ ହାଇବ୍ରିଡ୍‌, ସାଇବର, ସ୍ପେସ୍‌ ଓ ଅନ୍ୟ କ୍ଷେତ୍ରରେ ବିପଦର ସମ୍ମୁଖୀନ ହେବାକୁ ପଡ଼ିଛି। ତେଣୁ ଚାଇନା ରୁଷିଆର ଯୁଦ୍ଧ ଉଦ୍ୟମ ପାଇଁ ଯୋଗାଇଥିବା ଅସ୍ତ୍ରଶସ୍ତ୍ର ଓ ରାଜନୈତିକ ସହଯୋଗ ପ୍ରତ୍ୟାହାର କରିବା ଉଚିତ ବୋଲି ମିଳିତ ଘୋଷଣାନାମାରେ କୁହାଯାଇଛି। ଏହା ଉପରେ ଚାଇନା ବହିର୍ବ୍ୟାପାର ମୁଖପାତ୍ର ଲି ଜିଆନ୍‌ କହିଛନ୍ତି, ୟୁକ୍ରେନ୍‌ ପ୍ରସଙ୍ଗରେ ଚାଇନାର ଉତ୍ତରଦାୟିତ୍ୱକୁ ନେଇ ନାଟୋ ମନ୍ଦ ଉଦ୍ଦେଶ୍ୟ ରଖି ଅନାବଶ୍ୟକ ଭାବେ ଉନ୍ମାଦ ସୃଷ୍ଟି କରୁଛି। ରୁଷିଆ ସହ ଚାଇନାର ବାଣିଜି୍ୟକ ସମ୍ପର୍କ ବିଶ୍ୱ ବାଣିଜ୍ୟ ସଙ୍ଗଠନର ନିୟମ ଉପରେ ପର୍ଯ୍ୟବସିତ। ଚାଇନାର ଆଭ୍ୟନ୍ତରୀଣ ରାଜନୀତିରେ ନଟୋ ହସ୍ପକ୍ଷେପ ବନ୍ଦ କରୁ ବୋଲି ସେ କହିଛନ୍ତି।

Share