ମସ୍କୋ,୨୧।୨ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ସଂସଦକୁ ମଙ୍ଗଳବାର ସମ୍ବୋଧିତ କରିଥିଲେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ୟୁକ୍ରେନ ଗସ୍ତର ଗୋଟିଏ ଦିନ ପରେ ପୁଟିନ ଏଭଳି କରିଛନ୍ତି। ଏଥିରେ ସେ ନିଜ ଦେଶର ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଏହା ସହିତ ଯୁଦ୍ଧ ସହ ଜଡିତ ଅନେକ ଘୋଷଣା ମଧ୍ୟ କରିଥିଲେ।
ପୁଟିନ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ସେ ସେହି ସମୟରେ ଦେଶକୁ ସମ୍ବୋଧିତ କରୁଛନ୍ତି ଯାହା ଦେଶ ପାଇଁ କଷ୍ଟସାଧ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ। ସମଗ୍ର ବିଶ୍ୱରେ ବଡ ପରିବର୍ତ୍ତନ ଘଟୁଛି। ପୁଟିନ କହିଛନ୍ତି ଯେ ରୁଷିଆ ୟୁକ୍ରେନକୁ ମୁକ୍ତ କରିବା ପାଇଁ ସଂଗ୍ରାମ କରୁଛି। ପୁଟିନ ପାଶ୍ଚାତ୍ୟ ଦେଶଗୁଡ଼ିକୁ ମଧ୍ୟ ସମାଲୋଚନା କରିଛନ୍ତି। ପୁଟିନ କହିଛନ୍ତି ଯେ ମସ୍କୋ ନାଟୋ ସହିତ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି କିନ୍ତୁ ନାଟୋ ସକାରାତ୍ମକ ପ୍ରତିକ୍ରିୟା ଦେଇନାହିଁ।
ଆମେ ଡୋନ୍ବାସ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲୁ ଯାହା ୨୦୧୪ ପରଠାରୁ ସମ୍ବେଦନଶୀଳ ରହିଥିଲା କିନ୍ତୁ ଆମ ପିଠିପଛରେ ବିଭିନ୍ନ ଷଡଯନ୍ତ୍ର ରଚାଯାଇଥିଲା। ପୁଟିନ କହିଛନ୍ତି ଯେ ୟୁକ୍ରେନ ମିଛର ପ୍ରତୀକ ପାଲଟିଛି। ପୁଟିନ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଏହି ଚୁକ୍ତିରୁ ଓହରିଯିବା, ମିଥ୍ୟା ବିବୃତ୍ତି ଦେବା ଏବଂ ନାଟୋ ବିସ୍ତାର କରିବା ନେଇ ଅଭିଯୋଗ କରିଛନ୍ତି। ପୁଟିନ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶମାନେ ଏହି ଯୁଦ୍ଧର ଅପରାଧୀ ଏବଂ ଏହାକୁ ରୋକିବା ପାଇଁ ଆମେ କେବଳ ସେନା ବ୍ୟବହାର କରୁଛୁ।