ନାଟୋ: ୟୁକ୍ରେନ୍‌କୁ ସମର୍ଥନ, ସଦସ୍ୟତା ଅସ୍ପଷ୍ଟ

ଭିଲ୍‌ନିଅସ୍‌,୧୩ା୭: ୟୁରୋପୀୟ ଦେଶ ଲିଥୁଆନିଆ ରାଜଧାନୀ ଭିଲ୍‌ନିଅସ୍‌ରେ ବୁଧବାର ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ)ର ଦୁଇଦିନିଆ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ତାଙ୍କ ନାଟୋ ପ୍ରତିପକ୍ଷମାନେ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌କୁ ସମର୍ଥନ ଘୋଷଣା କରିଛନ୍ତି। କିନ୍ତୁ ରୁଷୀୟ ସୈନ୍ୟଙ୍କ ମୁକାବିଲା ପାଇଁ ୟୁକ୍ରେନ୍‌କୁ ନାଟୋ ସଦସ୍ୟତା ମିଳିବା ନେଇ ସ୍ଥିତି ସ୍ପଷ୍ଟ କରିନାହାନ୍ତି। ମୋଟାମୋଟି ଭାବେ ଏହି ବୈଠକର ଫଳାଫଳ ମିଶ୍ରିତ ରହିଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକରୁ ବିପୁଳ ଅସ୍ତ୍ରଶସ୍ତ୍ର ମିଳୁଥିବାରୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ତେବେ ବିଶ୍ୱର ଏହି ସର୍ବବୃହତ୍‌ ସାମରିକ ମେଣ୍ଟରେ ୟୁକ୍ରେନ୍‌କୁ ସାମିଲ କରିବା ନେଇ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ସ୍ଥିର କରାଯାଇ ନ ଥିବାରୁ ଜେଲେନ୍‌ସ୍କି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଇତିମଧ୍ୟରେ ନାଟୋର ୩୨ତମ ସଦସ୍ୟ ହେବା ଦିଗରେ ସୁଇଡେନ୍‌ ଏକ ବଡ଼ ପଦକ୍ଷେପ ନେଇଛି। ଅକ୍ଟୋବର ପରେ ସୁଇଡେନ୍‌ର ସଦସ୍ୟତାକୁ ଅନୁମୋଦନ କରିବା ନେଇ ତୁର୍କୀ ସଙ୍କେତ ଦେଇଛି। ସେହିପରି ରୁଷିଆ ପକ୍ଷରୁ କିମ୍ବା ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ ହେଲେ ଏହାର ମୁକାବିଲା କରିବା ଲାଗି ସହଯୋଗୀ ରାଷ୍ଟ୍ରଗୁଡ଼ିକ ପ୍ରତିରକ୍ଷା ଯୋଜନା କରିଛନ୍ତି। ଏଥିସହ ପ୍ରତିରକ୍ଷା ବ୍ୟୟ ବୃଦ୍ଧି ନେଇ ମଧ୍ୟ ସହମତି ପ୍ରକାଶ ପାଇଛି। ତେବେ କେବେ ସୁଦ୍ଧା ଏନେଇ ପଦକ୍ଷେପ ନିଆଯିବ ତାହା ସ୍ଥିର କରାଯାଇନାହିଁ।

Share