‘ମସ୍କୋ ଚିନ୍ତାକୁ ଗୁରୁତ୍ୱ ଦେଉ ନାଟୋ’

ମସ୍କୋ, ୧୬ା୨: ସୀମାରେ ସୈନ୍ୟ, ଯୁଦ୍ଧାସ୍ତ୍ର ତଥା କ୍ଷେପାଣାସ୍ତ୍ର ମୁତୟନ ଏବଂ ସାମରିକ ସ୍ବଚ୍ଛତା ଉପରେ ଆମେରିକା ଓ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସହ ଆଲୋଚନା ପାଇଁ ରୁଷିଆ ପ୍ରସ୍ତୁତ ବୋଲି ଏହାର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ମଙ୍ଗଳବାର କହିଛନ୍ତି। ଜର୍ମାନ ଚାନ୍‌ସେଲର ଓଲାଫ୍‌ ସ୍କୋଲ୍‌ଜଙ୍କ ବୈଠକ ପରେ ପୁଟିନ କହିଛନ୍ତି, ୟୁକ୍ରେନ ସମେତ ପୂର୍ବ ସୋଭିଏଟ୍‌ ସଂଘର ଦେଶଗୁଡ଼ିକୁ ନାଟୋରୁ ଦୂରେଇ ରଖିବା, ରୁଷିଆ ସୀମା ନିକଟରେ ସୈନ୍ୟ ମୁତୟନ ବନ୍ଦ, ପୂର୍ବ ୟୁରୋପରେ ନାଟୋ ସୈନ୍ୟଙ୍କୁ ପ୍ରତ୍ୟାହାର କରାଯିବା ନିମନ୍ତେ ରୁଷିଆ ଦାବି କରିଥିଲା। କିନ୍ତୁ ଆମେରିକା ଏବଂ ନାଟୋ ଏହାକୁ ପ୍ରତ୍ୟାଖାନ କରିଛନ୍ତି। ସେମାନେ କେତେକ ସୁରକ୍ଷା ପ୍ରସଙ୍ଗରେ କଥା ହେବାକୁ ରାଜି ହୋଇଛନ୍ତି, ଯାହା ବାବଦରେ ରୁଷିଆ ପୂର୍ବରୁ ପ୍ରସ୍ତାବ ଦେଇଥିଲା। ୟୁରୋପରେ କ୍ଷେପଣାସ୍ତ୍ର ମୁତୟନର ସୀମା, ସମରାଭ୍ୟାସରେ ସ୍ବଚ୍ଛତା ଏବଂ ଅନ୍ୟ ସାମରିକ କାର୍ଯ୍ୟକଳାପ ଉପରେ ରୁଷିଆ ଆଲୋଚନା କରିବାକୁ ପ୍ରସ୍ତୁତ। କିନ୍ତୁ ମସ୍କୋର କେତେକ ପ୍ରମୁଖ ଚିନ୍ତାକୁ ମଧ୍ୟ ପାଶ୍ଚାତ୍ୟ ଦେଶ ଶୁଣିବା ଆବଶ୍ୟକ ବୋଲି ପୁଟିନ କହିଛନ୍ତି। ୟୁକ୍ରେନ ସୀମାରୁ କେତେକ ୟୁନିଟ୍‌ ରୁଷିଆ ସୈନ୍ୟ ଫେରିବା ସୂଚନା ପରେ ପୁଟିନ୍‌ ଏହି ପ୍ରତିକ୍ରିୟା ରଖିଛନ୍ତି।
ୟୁକ୍ରେନ ସୀମା ସଂଲଗ୍ନ ଅଞ୍ଚଳରେ ବ୍ୟାପକ ଯୁଦ୍ଧଜାହାଜ, ଅସ୍ତ୍ରଶସ୍ତ୍ର ଠୁଳ କରିବା ସହ ରୁଷିଆ ସୈନ୍ୟ ସମରାଭ୍ୟାସର କାରଣ ଜାଣିବାକୁ ୟୁକ୍ରେନ ସୋମବାର ମସ୍କୋ ସହ ବୈଠକ ଡାକିଛି। ପ୍ରମୁଖ ୟୁରୋପୀୟ ସୁରକ୍ଷା ଗୋଷ୍ଠୀ ସଦସ୍ୟଙ୍କ ଉପସ୍ଥିତିରେ ରୁଷିଆ ସହ ହେବାକୁ ଥିବା ଏହି ବୈଠକରେ ୟୁକ୍ରେନ ଉତ୍ତେଜନା ସୃଷ୍ଟିର କାରଣ ପଚାରିବ ବୋଲି କହିଥିଲା।

Share