ନାଟୋର ସବୁଠୁ ବଡ଼ ଯୁଦ୍ଧାଭ୍ୟାସ

ବ୍ରସେଲ୍ସ, ୧୮ା୧୦: ୟୁକ୍ରେନ୍‌ ଯୁଦ୍ଧ ଭିତରେ ଆମେରିକା ନେତୃତ୍ୱାଧୀନ ସାମରିକ ମେଣ୍ଟ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସୋମବାର ସବୁଠାରୁ ବଡ଼ଧରଣର ଆଣବିକ ଡ୍ରିଲ୍‌ ‘ଷ୍ଟିଡ୍‌ଫାଷ୍ଟ ନୁନ୍‌’ ଆରମ୍ଭ କରିଛି। ୟୁରୋପ ଉପରେ ନ୍ୟୁକ୍ଲିୟର ଆକ୍ରମଣ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ବାରମ୍ବାର ଧମକ ଦେଉଥିବାବେଳେ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଏଥିରୁ ସୁରକ୍ଷା ଦେବା ନିମନ୍ତେ ନାଟୋ ମେଣ୍ଟ ଏହି ସମରାଭ୍ୟାସକୁ ରଣନୀତିରେ ସାମିଲ କରିଛି। ଉତ୍ତରପଶ୍ଚିମ ୟୁରୋପରେ ରୁଷିଆ ସୀମାଠାରୁ ମାତ୍ର ୬୨୫ ମାଇଲ ବା ହଜାରେ କିଲୋମିଟର ଦୂରରେ ନାଟୋ ସବୁଠାରୁ ଶକ୍ତିଶାଳୀ ସମରାଭ୍ୟାସ ଚଳାଇଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଡ୍ରିଲ ଚାଲିବ।
ନିଜର ବାର୍ଷିକ ନ୍ୟୁକ୍ଲିୟର ଡ୍ରିଲ ଆରମ୍ଭ କରିବାକୁ ଘୋଷଣା କରିଥିବାବେଳେ ୩୦ ରାଷ୍ଟ୍ରର ସାମରିକ ନାଟୋ ଏହାକୁ ଗୁରୁତ୍ୱର ସହ ନେଇଛି। ଏଥିରେ ବିଧ୍ୱଂସକାରୀ ବି-୫୨ ବମ୍ବର ସାମିଲ ହୋଇଛି। ଜାପାନର ହିରୋଶିମା ଓ ନାଗାସାକି ଉପରେ ହୋଇଥିବା ନ୍ୟୁକ୍ଲିୟର ଆକ୍ରମଣରେ ଏହି ସିରିଜର ବି-୨୯ ବମ୍ବର ବ୍ୟବହାର କରାଯାଇଥିଲା। ଏଥିରେ ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ନାଟୋ ସୂଚନା ଅନୁଯାୟୀ, ଷ୍ଟିଡ୍‌ଫାଷ୍ଟ ନୁନ୍‌ରେ ଆମେରିକା ବାୟୁସେନାର ବି-୫୨ ଉତ୍ତର ଡାକୋଟାସ୍ଥିତ ମିନୋଟ ଏୟାରବେସରୁ ଦୀର୍ଘ ରେଞ୍ଜ ପର୍ଯ୍ୟନ୍ତ ଉଡ଼ାଣ ଭରିବ। ଏଥି ସହିତ ବେଲଜିୟମର କ୍ଲେନ୍‌ ବ୍ରୋଗେଲ ଏୟାରବେସ୍‌ରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ସହ ଅତ୍ୟାଧୁନିକ ଏଫ୍‌-୧୬ ମଧ୍ୟ ଡ୍ରିଲ୍‌ରେ ସାମିଲ ହୋଇଛି। ଏଥିରେ ୧୪ ସଦସ୍ୟ ରାଷ୍ଟ୍ର ଅଂଶଗ୍ରହଣ କରିଥିବାବେଳେ ଏଥିରେ ୬୦ ଯୁଦ୍ଧବିମାନ ରହିଛି। ବେଲ୍‌ଜିୟମ, ଉତ୍ତରସାଗର ଏବଂ ବ୍ରିଟେନ୍‌ ଆକାଶରେ ୧୩ ଦିନ ଧରି ଏହି ସମରାଭ୍ୟାସ ଜାରି ରହିବ। ତେବେ ଏହା ଏକ ନିୟମିତ ଏବଂ ବାରମ୍ବାର ହେଉଥିବା ରୁଟିନ୍‌ ଡ୍ରିଲ୍‌ ବୋଲି ନାଟୋ କହିଛି। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପୂର୍ବରୁ ହିଁ ଏହାର ଯୋଜନା ହୋଇଥିଲା। ସମ୍ପ୍ରତି ସ୍ଥିତି ସହ ଏହି ଯୁଦ୍ଧାଭ୍ୟାସର କୌଣସି ସମ୍ପର୍କ ନାହିଁ ବୋଲି ନାଟୋ ପକ୍ଷରୁ କୁହାଯାଇଛି।

Share