ଓସ୍କାର ଦୌଡ଼ରେ ‘ନାଟୁ ନାଟୁ’

ଆସନ୍ତା ବର୍ଷ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି ଏସ୍‌ଏସ୍‌ ରାଜମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ। ଅରିଜିନାଲ ସଙ୍ଗ୍‌ କାଟାଗୋରିରେ ଏହାକୁ ମନୋନୀତ କରାଯାଇଛି। ୧୦ ବର୍ଗର ଶର୍ଟଲିଷ୍ଟ ତାଲିକା ବୁଧବାର ରାତିରେ ଓସ୍କାର ପକ୍ଷରୁ ଘୋଷଣା ହୋଇଛି। ଗୁଜରାଟୀ ଭାଷା ‘ଛେଲୋ ଶୋ’କୁ ଜାତୀୟସ୍ତରୀୟ ଫିଚର୍‌ ଫିଲ୍ମ ବର୍ଗରେ ତାଲିକାଭୁକ୍ତ କରାଯାଇଛି। ଏଥିସହ ଭାରତର ୨ଟି ଡକ୍ୟୁମେଣ୍ଟାରି ଫିଚର ଫିଲ୍ମ ବର୍ଗରେ ‘ଅଲ୍‌ ଦ୍ୟାଟ୍‌ ବ୍ରିଦ୍‌ସ’ ଏବଂ ‘ଦି ଏଲିଫ୍ୟାଣ୍ଟ ହ୍ବିସ୍‌ପରର୍ସ’ ତାଲିକାଭୁକ୍ତ ହୋଇଛି। ଆସନ୍ତା ଜାନୁୟାରୀ ୨୪ରେ ଏକାଡେମୀ ପୁରସ୍କାର ପାଇଁ ନାମ ଘୋଷଣା କରାଯିବ। ଛେଲୋ ଶୋ’ ଜାତୀୟସ୍ତରୀୟ ଫିଚର ଫିଲ୍ମ ବର୍ଗରେ ଅନ୍ୟ ୧୪ଟି ଫିଲ୍ମ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ। ତେବେ ହିନ୍ଦୀ, ତାମିଲ, ତେଲୁଗୁ ଫିଲ୍ମ ସାରା ବିଶ୍ୱରେ ମୁକ୍ତଲାଭ କରିଥିବାବେଳେ ଆର୍‌ଆର୍‌ଆର୍‌ ବିଭିନ୍ନ ଓସ୍କାର ବର୍ଗରେ ବିଚାର ପାଇଁ ନିଜକୁ ଦଖଲ କରିଛି। ଏଥିସହ ଏହା ଗୋଲ୍ଡେନ ଗ୍ଲୋବ୍ସରେ ଅଣଇଂଲିଶ ଏବଂ ଶ୍ରେଷ୍ଠ ଅରିଜିନାଲ୍‌ ଗୀତ ଭାବେ ପୁରସ୍କାର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛି। ୯୫ତମ ଏକାଡେମୀ ପୁରସ୍କାର ଆସନ୍ତା ବର୍ଷ ମାର୍ଚ୍ଚ ୧୨ରେ ଲସ୍‌ ଏଞ୍ଜେଲ୍ସର ଡଲି ରଙ୍ଗମଞ୍ଚରେ ଆୟୋଜିତ ହେବାକୁ ଯାଉଛି।

Share